ଭୁବନେଶ୍ବର: ରାଜ୍ୟରେ କ୍ରମାଗତ ଭାବେ ତାପମାତ୍ରା ବଢ଼ିବାରେ ଲାଗିଛି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । ଚଳିତବର୍ଷ ଗ୍ରୀଷ୍ମ ସମୟରେ ଅଂଶୁଘାତ ନେଇ ବୈଠକରେ ଆଲୋଚନା ହୋଇଥିଲା । ଲୋକସେବା ଭବନରୁ ଡିଜିଟାଲ ମୋଡରେ ବସିଥିବା ବୈଠକରେ ସବୁ ବିଭାଗର ସଚିବ ମାନେ ଉପସ୍ଥିତ ଥିଲେ ।
ଟାଣ ଖରାର ମୁକାବିଲା ନେଇ ରାଜ୍ୟ ସରକାରଙ୍କ ତରଫରୁ କଣ ସବୁ ବ୍ୟବସ୍ଥା କରାଯାଇଛି ଏନେଇ ସୂଚନା ଦେଇଛନ୍ତି ଉନ୍ନୟନ କମିଶନର ତଥା ଏସଆରସି ପ୍ରଦୀପ କୁମାର ଜେନା । ରାଜ୍ୟରେ କ୍ରମଶଃ ତାତି ବଢ଼ିବାକୁ ଲାଗିଛି । ରାଜ୍ୟର ଅଧାରୁ ଅଧିକ ଜିଲ୍ଲାରେ ତାପମାତ୍ରା 40 ଡିଗ୍ରୀ ଉପରେ ରହୁଛି । ଏବେଠୁ ସ୍ଥିତି ବେହାଲ ହେଲାଣି । ଆଗକୁ ସ୍ଥିତି ସଙ୍ଗୀନ ହେବାକୁ ଯାଉଛି । ଆଉ ଏବେଠୁ ସତର୍କ ହେବାକୁ ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦେଇଛନ୍ତି ସରକାର ।
ତାତି ଓ ଜଳ ଅଭାବ ପରିସ୍ଥିତି ପରିଚାଳନା ପାଇଁ ବିଭିନ୍ନ ପଦକ୍ଷେପ ନେବାକୁ ମୁଖ୍ୟ ଶାସନ ସଚିବ ଓ ଏସଆରସି ପରାମର୍ଶ ଦେଇଛନ୍ତି । ବିଭିନ୍ନ ବିଭାଗ, ଜିଲ୍ଲା ପ୍ରଶାସନ ଏବଂ ଅନ୍ୟମାନଙ୍କ ପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରଣାଳୀ(SOP)କୁ OSDMA ଦ୍ୱାରା ଏକ ହିଟ୍ ୱେଭ୍ ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରାଯାଇଛି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ