ଭୁବନେଶ୍ବର: ମାନବବାଦ ସଙ୍ଗଠନ ନାଁ କହି ଲୋକଙ୍କ ଉପରେ ଅତ୍ୟାଚାର କରିବା ଭଳି ଘୃଣ୍ୟ ମାନସିକତାର ଵ୍ୟକ୍ତିକୁ ବିଜେଡ଼ି ନେତାମାନେ ଗୁରୁ ବୋଲି କହିଛନ୍ତି । ସୂଚନାନୁସାରେ ଖୋର୍ଦ୍ଧା ବେଗୁନିଆରେ ଗୁଣ୍ଡାରାଜ କରି ଲୋକଙ୍କୁ ଭୟଭୀତ କରାଉଥିବା ମାନସ ଦାସ (ଗୁରୁଜୀ) ସ୍ଥାନୀୟ ଅଞ୍ଚଳରେ କେତେ ପ୍ରଭାବଶାଳୀ ତାହାକୁ ନେଇ ଶାସକ ଦଳର ସାଂସଦ, ବିଧାୟକ ଓ ବଡ ବଡ ନେତା ତାଙ୍କୁ ମୁଣ୍ଡିଆ ମାରୁଥିବା ନେଇ କହିଛନ୍ତି ବିଜେପି ନେତା । ଆଉ ମାନସ ଦାସ ଏକ ଆଧ୍ୟାତ୍ମିକ ଗୁରୁର ମୁଖା ପିନ୍ଧି ଆତଙ୍କରାଜ ଚଳାନ୍ତି । ବେଗୁନିଆ ଅଞ୍ଚଳରେ ଆତଙ୍କରାଜ ଚଳାଉଥିବା ଏହି ବ୍ୟକ୍ତି ମାନସ ଦାସର ମାନବବାଦ ସଙ୍ଗଠନ ଗୁଣ୍ଡାଗିରି କାର୍ଯ୍ୟରେ ଲିପ୍ତ ଥିବାବେଳେ ନେତା, ପୋଲିସ ଓ ଅଧିକାରୀ ତାଙ୍କର ବୋଲକରା ପରି କାମ କରନ୍ତି ।
ସେଥିପାଇଁ ମାନସଙ୍କ ବିରୋଧରେ ଅଭିଯୋଗ ହେଲେ ବି କେହି ପଦକ୍ଷେପ ନେବାକୁ ସାହାସ କରୁନାହାନ୍ତି । ନିଜ ସଙ୍ଗଠନରେ ସାମିଲ ନ ହେବାରୁ ବାପ ପୁଅଙ୍କୁ ଗଡେଇ ତଡେଇ ମାଡ ମାରିବାର ଏକ ଭିଡିଓ ବେଶ୍ ଭାଇରାଲ ହେବାରେ ଲାଗିଛି ।
ସେପଟେ 2019 ନିର୍ବାଚନବେଳେ ଅନେକ ନେତା ଓ ମନ୍ତ୍ରୀ ମୁଣ୍ଡିଆ ମାରିଥିବା ନେଇ ସୂଚନା ମିଳିଛି । ତେବେ ଏଭଳି ଅମାନୁଷିକ କାର୍ଯ୍ୟ କରୁଥିବା ଵ୍ୟକ୍ତିଙ୍କ ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ନ କରିବା ସ୍ପଷ୍ଟ ବୟାନ କରୁଛି ଯେ ପ୍ରଶାସନ ଓ ବିଜେଡ଼ିର ପୃଷ୍ଠପୋଷକତାରେ ଏସବୁ ଚାଲିଛି । ତେବେ ଏନେଇ ଯଦି ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରନ୍ତି, ତେବେ ଆଗାମୀ ଦିନରେ ଦଳ ଆନ୍ଦୋଳନକୁ ଓହ୍ଲାଇବ ବୋଲି ବିଜେପି ମୁଖପାତ୍ର ଦିଲ୍ଲୀପ ମହାନ୍ତି ସୂଚନା ଦେଇଛନ୍ତି ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ