ଭୁବନେଶ୍ବର: ହୋଲିରେ ମଦପିଇ ବୁଲିଲେ ବାନ୍ଧିବ ପୋଲିସ । ମଙ୍ଗଳବାର ରଙ୍ଗର ପର୍ବ ହୋଲି ଥିବା ବେଳେ କୌଣସି ବ୍ୟକ୍ତିଙ୍କୁ ମଦ ପିଇ ବୁଲିବା ଦେଖିଲେ ପୋଲିସ ତାଙ୍କୁ ଗିରଫ କରିବ । ଏନେଇ ନିର୍ଦ୍ଦେଶ ଦେଇଛି କମିସନରେଟ ପୋଲିସ ।
ତେବେ ହୋଲି ଦିନ ଅଘଟଣ ଏଡାଇବାକୁ ମଦୁଆ ଡ୍ରାଇଭରଙ୍କ ଉପରେ ନଜର ରଖିବ ପୋଲିସ । ସେନେଇ ଡ୍ରଙ୍କ ଡ୍ରାଇଭିଂ ଚେକିଂକୁ କଡାକଡି କରାଯିବ। ଏଥିପାଇଁ ରାଜଧାନୀର ୨୮ ଟି ସ୍ଥାନରେ ନାକା ଲଗାଇବ କମିସନରେଟ ପୋଲିସ । ଅର୍ଥାତ ଜାଗା ଜାଗାରେ ପୋଲିସ ଏକତ୍ରିତ ହୋଇ ଚେକିଂ କରିବେ ।
ଏଥିସହ ହୋଲିକୁ ଦୃଷ୍ଟିରେ ରଖି ଭୁବନେଶ୍ବରରେ ୧୭ ଟି ଅଧିକ ପିସିଆର ବୁଲିବ । ଏହାଛଡା ଥାନା ଅଞ୍ଚଳର ଚେକିଂ ସହ ଆଲର୍ଟ ରହିବାକୁ ଥାନାମାନଙ୍କୁ କଡା ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ମଙ୍ଗଳବାର ୧୬ ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିବା ବେଳେ ଷ୍ଟ୍ରାଇକିଂ ଫୋର୍ସ ମଧ୍ୟ ସହରସାରା ମୁତୟନ କରାଯାଇଛି ।
ତେବେ ହୋଲି ଖେଳିବା ପରେ ବିଭିନ୍ନ ଜଳାଶୟ ଓ ନଦୀ ପଠାରେ ଗାଧୋଇବାକୁ ଦୃଷ୍ଟିରେ ରଖି ଅଘଟଣ ଏଡାଇବା ପାଇଁ ଓଡ୍ରାଫ ଟିମ ଓ ଫାୟାର ଟିମ୍ ମୁତୟନ ରହିବେ । ସହର ଭିତରେ ଟ୍ରାଫିକ ଚେକିଂ ଉପରେ ମଧ୍ୟ ଗୁରୁତ୍ବ ଦିଆଯିବ ।
ଏହାଛଡା ଯେପରି ଅନ୍ୟକୁ ବାଧ୍ୟ ବାଧକରେ ରଙ୍ଗ ନ ଲଗାଇବା ଓ ଏକତ୍ରିତ ହୋଇ ଗଣ୍ଡଗୋଳ କରିବା ବା କୌଣସି ସ୍ଥାନରେ ଉଚ୍ଚ ଶବ୍ଦର ଡିଜେ ବା ସାଉଣ୍ଡ ଲଗାଇବା ଆଦି ଉପରେ ରୋକ ଲଗାଇବାକୁ ପୋଲିସ କର୍ମଚାରୀଙ୍କୁ କଡା ନିର୍ଦ୍ଦେଶ ରହିଛି । ତେବେ ସମସ୍ତଙ୍କୁ ସୁରକ୍ଷିତ ହୋଲି ଖେଳିବାକୁ ଭୁବନେଶ୍ବର ଡିସିପି ପରାମର୍ଶ ଦେଇଛନ୍ତି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ