ମାଲକାନଗିରି: ପୁଣି ଡାକ୍ତର ଓ ଷ୍ଟାପ୍ ନର୍ସଙ୍କ ନାମରେ ଆସିଲା ସାଙ୍ଘାତିକ ଅଭିଯୋଗ । HIV Positive ବୋଲି ଜଣେ ପ୍ରସୂତି ମହିଳାଙ୍କୁ ମେଡିକାଲରେ କରାଇଲେ ନାହିଁ ପ୍ରସବ । ଦୀର୍ଘ ସମୟ ଧରି ଗର୍ଭ ଯନ୍ତ୍ରଣାରେ ଛଟ ପଟ ହେବା ପରେ ଶେଷରେ ମୋଟର ସାଇକଲରେ ଘରକୁ ବୁହା ହେଲେ ଗର୍ଭବତୀ ମହିଳା । ଘରେ ପ୍ରସବ କରିବା ସହ ଡାକ୍ତରଙ୍କ ଭୁଲ ଯୋଗୁଁ ସମାଜରୁ ବାସନ୍ଦ ହେଲେ ମହିଳାଙ୍କ ପରିବାର । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା କୁଡୁମୁଲୁଗୁମ୍ମା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ।
ସରକାରଙ୍କ ଜନନୀ ସୁରକ୍ଷା ଯୋଜନା, ଘରେ ପ୍ରସବ କରିବା ମନା ଏବଂ କୁଡୁମୁଲୁଗୁମ୍ମା ସ୍ବାସ୍ଥ୍ୟ କେନ୍ଦ୍ର ଆପଣଙ୍କ ସେବାରେ । ସରକାରଙ୍କ ଏହି ସବୁ ସ୍ଲୋଗାନ କେବଳ ଡାକ୍ତର ଖାନାର କାନ୍ଥ ବାଡରେ ହିଁ ସିମିତ ହୋଇ ରହିଛି । ବାସ୍ତବରେ ମାଲକାନଗିରି ଭଳି ପଛୁଆ ଅଞ୍ଚଳର ଗରିବ ଆଦିବାସୀ ଲୋକଙ୍କ ପାଖରେ କିନ୍ତୁ ସରକାରଙ୍କ ଏହି ସବୁ ଯୋଜନା ଠିକ ଭାବେ ପହଞ୍ଚି ପାରୁନାହିଁ । ନହେଲେ କଣ ଜଣେ ଗରିବ ଆଦିବାସୀ ପ୍ରସୂତି ମହିଳାଙ୍କୁ ମେଡିକାଲରୁ ପ୍ରତାରିତ ହେବାକୁ ପଡିନଥାନ୍ତା । ହଁ ଆପଣ ଭାବୁଥିବେ ଗରିବ ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ହେଲେ ଅସୁବିଧା ରହିଲା କେଉଁଠି । ଆଜ୍ଞା ବାସ୍ତବରେ ଗ୍ରାଉଣ୍ଡ ଜିରୋରେ ସ୍ଥିତି କିଛି ଅଲଗା ରହିଛି । ଯାହା ଦେଖିବା ମିଳିଛି କୁଡୁମୁଲୁଗୁମ୍ମା ତହସିଲ ଅନ୍ତର୍ଗତ ପାରକାନମାଳା ଗାଁରେ ।
ଗତ ୨୫ ତାରିଖ ଦିନ ଜନୈକ ମହିଳା ପ୍ରସବ କରିବା ଲାଗି ଗାଁର ଆଶା ଦିଦି ତାଙ୍କୁ କୁଡୁମୁଲୁଗୁମ୍ମା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ହେଲେ ମହିଳା ଜଣଙ୍କ ପୂର୍ବରୁ HIV Positive ଆକ୍ରାନ୍ତ ରହିଥିବା ଜାଣିବା ପରେ କୁଡୁମୁଲୁଗୁମ୍ମା ସ୍ବାସ୍ଥ୍ୟ କେନ୍ଦ୍ରର କୌଣସି ଡାକ୍ତର ତାଙ୍କର ପାଖ ମାଡିନଥିଲେ । ଏମିତି କି ଦୀର୍ଘ ସମୟ ଧରି ଗର୍ଭ ଯନ୍ତ୍ରଣାରେ ଛଟ ପଟ ହେଉଥିବା ମହିଳାଙ୍କୁ ଡାକ୍ତଖାନାରେ ପ୍ରସବ କରିବାକୁ ମନା କରିଥିଲେ ଡାକ୍ତର। ଶେଷରେ ଗାଁ ଲୋକଙ୍କ ସହାୟତାରେ ମୋଟର ସାଇକଲରେ ଘରକୁ ବୁହା ହେଲେ ଗର୍ଭବତୀ ମହିଳା । ସରକାରଙ୍କ ସବୁ ଯୋଜନା ଥାଇ ଆଶା ଦିଦିଙ୍କ ଉପସ୍ଥିତିରେ ଘରେ ହିଁ ପ୍ରବସ କଲେ ଏହି ଆଦିବାସୀ ମହିଳା ।
ପାରକାନମାଳା ଗାଁର ଏହି ଆଦିବାସୀ ମହିଳାଙ୍କ ସ୍ବାମୀ କୁଲି ମଜୁରି କରୁଥିବା ବେଳେ ପୂର୍ବରୁ ତାଙ୍କର ଦୁଇଟି ସନ୍ତାନ ରହିଛି । ଦ୍ବିତୀୟ ସନ୍ତାନ ଜନ୍ମ ହେବା ବେଳେ ଉକ୍ତ ମହିଳା HIV Positive ଆକ୍ରାନ୍ତ ବୋଲି ଜାଣିବାକୁ ପାଇଥିଲେ । ମେଡିକାଲରୁ ଦିଆଯାଉଥିବା ଔଷଧକୁ ଗତ ଦୁଇ ବର୍ଷ ଧରି ସେ ଖାଉଥିଲେ । ହେଲେ ତୃତୀୟ ସନ୍ତାନ ଜନ୍ମ ଦେଲା ବେଳକୁ କିନ୍ତୁ ତାଙ୍କ ଉପରେ ଯେମିତି ସବୁ କିଛି ଝଡ ହୋଇ ମାଡି ଆସିଲା ।
ସ୍ବାମୀ HIV Positive ଚିହ୍ନଟ ହେବା ସହ ମେଡିକାଲରୁ ପ୍ରତାରିତ ହେଲେ ଏହି ଗରିବ ଆଦିବାସୀ ପରିବାର । ହେଲେ ଡାକ୍ତର ବାବୁ ଯେଉଁ ଭୁଲ କଲେ ତାହାର ପରିଣାମ ଆହୁରୀ ଭୟଙ୍କର ହେଲା । ଘରେ ପହଞ୍ଚିବା ପରେ ଆଶା ଦିଦି ସିନା ତାଙ୍କର ପ୍ରସବ କରାଇ ଦେଲେ । ହେଲେ ପ୍ରସବ ପରେ ତାଙ୍କ ପାଖ ମାଡୁ ନାହାନ୍ତି ସାହି ପଡିଶା ଓ ଗାଁ ଲୋକେ । ଯାହାକୁ ନେଇ ଏବେ ଆତ୍ମହତ୍ୟା କରିବାର ଚିନ୍ତା କରିଛନ୍ତି ପରିବାର ଲୋକେ । ତେହେ ଏହି ଘଟଣାକୁ ଅତି ଗୁରୁତର ଭାବେ ଗ୍ରହଣ କରି ଘଟଣାର ତଦନ୍ତ କରୁଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ।
କଥାରେ ଅଛି ରୋଗକୁ ଘୃଣା କର କିନ୍ତୁ ରୋଗୀକୁ ନୁହେଁ । ହେଲେ ବାସ୍ତବରେ ଆଜିବି ଆମ ସମାଜରେ ଏଭଳି ଛୁଆଁ ଅଛୁଆଁ ଲାଗି ରହିଛି । କେବେଳ ସମାଜ ନୁହେଁ ଦ୍ବିତୀୟ ଭଗବାନ ବୋଲି କୁହା ଯାଉଥିବା ଡାକ୍ତରଙ୍କ କ୍ଷେତ୍ରରେ ଯଦି ଏଭଳି ଆଚରଣ ଦେଖିବାକୁ ମିଳିଛି ତାହା ହେଲେ ସାଧାରଣ ଲୋକଙ୍କ ଠାରୁ ଆଉ କଣ ପବର୍ତ୍ତନର ଆଶା କରିବା ।
ମାଲକାନଗିରିରୁ ପଞ୍ଚାନନ ଦାଶ, ଇଟିଭି ଭାରତ