ଭୁବନେଶ୍ବର: ହୋଲି ଅବସରରେ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ ସନ୍ଧ୍ୟା ‘ବୃନ୍ଦାବନ ମହୋତ୍ସବ’ର ଷଷ୍ଠ ସଂସ୍କରଣ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଯୁଗଳବନ୍ଦୀ ଓ ଶାସ୍ତ୍ରୀୟ ସଂଗୀତ ପରିବେଷଣ କରାଯାଇଥିବା ବେଳେ ଗୁରୁକୁଳର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ବଂଶୀ ବାଦନରେ ପ୍ରକମ୍ପିତ ହୋଇଥିଲା ପୁରା ପରିବେଶ । ରାଜ୍ୟ ପର୍ଯ୍ୟଟନ ବିଭାଗ ଏବଂ ବୃନ୍ଦାବନ ଗୁରୁକୁଳର ମିଳିତ ଆନୁକୂଲ୍ୟରେ ରବୀନ୍ଦ୍ର ମଣ୍ଡପରେ ଏହି କାର୍ଯ୍ୟକ୍ରମ ହୋଇଥିଲା ।
ଶାସ୍ତ୍ରୀୟ ସଙ୍ଗୀତ ଜଗତର ବିଶିଷ୍ଟ ପ୍ରତିଭାମାନଙ୍କ କଳା ପ୍ରଦର୍ଶନର ଉପଭୋଗ ନେଉଥିଲେ କଳାପ୍ରେମୀ । ବିଶିଷ୍ଟ ବଂଶୀବାଦକ ପଦ୍ମବିଭୂଷଣ ପଣ୍ଡିତ ଡ. ହରିପ୍ରସାଦ ଚୌରାସିଆ ଓ ମୁଖ୍ୟ ଶାସନ ସଚିବ ସୁରେଶ ପୂଜାରୀ ଏହି କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ । ଏହି ମହୋତ୍ସବ କଳାନୁରାଗୀ ଓ କଳାର ଛାତ୍ରଛାତ୍ରୀମାନଙ୍କୁ ଶାସ୍ତ୍ରୀୟ ସଙ୍ଗୀତର ନିକଟତର କରିବା ସହିତ ଅନୁପ୍ରାଣିତ କରିବ ବୋଲି ଡ. ଚୌରାସିଆ କହିଥିଲେ । ଶାସ୍ତ୍ରୀୟ ସଙ୍ଗୀତର ବହୁଳ ପ୍ରଚାରପ୍ରସାର ପାଇଁ ଏଭଳି ଉତ୍ସବର ଆୟୋଜନ କରାଯାଇଥିଲା ।
ପଦ୍ମବିଭୂଷଣ ପଣ୍ଡିତ ଡ. ଚୌରାସିଆଙ୍କ ପ୍ରତ୍ୟକ୍ଷ ପ୍ରେରଣାରେ ପ୍ରଖ୍ୟାତ ସଙ୍ଗୀତ ଶିଳ୍ପୀ ପଦ୍ମଭୂଷଣ ବେଗମ ପରବିନ ସୁଲତାନା, ଖ୍ୟାତନାମା ତବଲାବାଦକ ପଣ୍ଡିତ ଅଭିଜିତ ବାନାର୍ଜୀ, ବିଶିଷ୍ଟ ସିତାରବାଦକ ପଣ୍ଡିତ ଶୁଭେନ୍ଦ୍ର ରାଓ, ହାରମୋନିୟମବାଦକ ପଣ୍ଡିତ ଜ୍ୟୋତି ଗୋହୋ, ସେଲୋବାଦିକା ବିଦୁଷୀ ସାସକିଆ ରାଓ ଦେ ହାସ ଶାସ୍ତ୍ରୀୟ ସଙ୍ଗୀତ ପରିବେଷଣ କରିଥିଲେ । ସାଂସ୍କୃତିକ ସନ୍ଧ୍ୟାର ପ୍ରଥମ କାର୍ଯ୍ୟକ୍ରମ ଭାବେ ଗୁରୁକୁଳର ଛାତ୍ରଛାତ୍ରୀମାନେ ବଂଶୀବାଦନ କରିଥିଲେ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ