ଭୁବନେଶ୍ବର: ରାଜ୍ୟରେ ମହାନଦୀ ଅବବାହିକାରେ ବନ୍ୟା ସ୍ଥିତି ଦେଖା(flood situation in Mahanadi) ଦେଇଛି । ବନ୍ୟାରେ ମହାନଦୀ ଅବବାହିକାରେ ଥିବା ଜିଲ୍ଲା ଗୁଡ଼ିକ ବିଶେଷ ପ୍ରଭାବିତ ହେବ । ଜଗତସିଂହପୁର ଓ ପୁରୀ ଜିଲ୍ଲା ସମ୍ପୂର୍ଣ୍ଣ ପ୍ରଭାବିତ ହେବ । ସୂଚନା ଦେଇଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର (SRC) ପ୍ରଦୀପ କୁମାର ଜେନା ।
SRC କହିଛନ୍ତି, "କେନ୍ଦ୍ରାପଡ଼ା ଜିଲ୍ଲାର ୩୦ରୁ ୪୦ ଭାଗ ପ୍ରଭାବିତ ହେବ । କଟକର ନିଶ୍ଚିନ୍ତକୋଇଲି, ଆଠଗଡ଼ ଓ ବାଙ୍କୀରେ ପ୍ରଭାବ ପଡ଼ିବ । ନୟାଗଡ଼ ଜିଲ୍ଲାର କଣ୍ଟିଲୋ, ଭାପୁର ଓ ବୌଦ୍ଧର ହରଭଙ୍ଗା ଜଳମଗ୍ନ ହେବ । ସୋନପୁର ଜିଲ୍ଲାର ବୀରମହାରାଜପୁର ଉପରେ ପ୍ରଭାବ ପଡ଼ିବ । ବନ୍ୟାରେ ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡ଼ିକର ଜିଲ୍ଲାପାଳଙ୍କ ସହ SRC କଥା ହୋଇଛନ୍ତି । ନଦୀବନ୍ଧରେ ରାତିରେ ପାଟ୍ରୋଲିଂ ବ୍ୟବସ୍ଥା କରିବାକୁ ପରାମର୍ଶ ଦିଆଯାଇଛି । ଗାଁ ଲୋକ ଓ ସ୍ଥାନୀୟ ବିଧାୟକ ଓ ଜନ ପ୍ରତିନିଧିଙ୍କ ସହଯୋଗ ଲୋଡ଼ାଯାଇଛି ।"
ତେବେ ଏହାର ମୁକାବିଲା ଲାଗି ଗତକାଲି ବିଭିନ୍ନ ଜିଲ୍ଲାକୁ NDRF, ODRAF ଓ ଅଗ୍ନିଶମ ବାହିନୀକୁ ନିୟୋଜିତ କରାଯାଇଛି । ଏହା ବାଦ ବିଭିନ୍ନ ଜିଲ୍ଲାକୁ ଆଜି ODRAFର ଓ NDRF ୧୨ଟି ଓ ଅଗ୍ନିଶମ ବିଭାଗର ୨୦ଟି ଟିମ ଅତିରିକ୍ତ ପଠାଯାଇଛି । କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ ଭଳି ଜିଲ୍ଲା ଅଧିକ ପ୍ରଭାବିତ ହେବ । ତେଣୁ ସ୍ଥାନୀୟ ପ୍ରଶାସନକୁ ଆଲର୍ଟ କରାଯାଇଛି ବୋଲି SRC କହିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର