କଟକ: ବହୁ ଚର୍ଚ୍ଚିତ ଉଲିବୁରୁ ଖଣି ଦୁର୍ନୀତି ମାମଲାରେ ଆଗତ ରିଟ ପିଟିସନର ଶୁଣାଣି କରି ହାଇକୋର୍ଟ ଉଦବେଗ ପ୍ରକାଶ କରିବା ସହ ଏ ସମ୍ପର୍କରେ ଜବାବ ଦାଖଲ କରିବାକୁ ଭିଜିଲାନ୍ସ ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଉଲିବୁରୁ ଖଣି ଦୁର୍ନୀତି ମାମଲାର ଅଭିଯୁକ୍ତମାନେ ଦୀର୍ଘ ୬ ବର୍ଷ ଧରି କାହିଁକି ଗିରଫ ହେଉନାହାନ୍ତି ଓ ସେମାନଙ୍କୁ କାହିଁକି ପଳାତକ ଘୋଷଣା କରାଯାଉ ନାହିଁ ସେ ସମ୍ପର୍କରେ ପ୍ରଶ୍ନ କରିଛନ୍ତି ହାଇକୋର୍ଟ। ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୧୮କୁ ଧାର୍ଯ୍ୟ କରାଯାଇଥିବା ବେଳେ ତା ପୂର୍ବରୁ ସରକାର ଜବାବ ରଖିବାକୁ ନିର୍ଦ୍ଦେଶ ରହିଛି।
ସୂଚନାଯୋଗ୍ୟ, ୧୫ ହଜାର କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଉଲିବୁରୁ ଖଣି ଦୁର୍ନୀତି ହୋଇଥିବାର ଅଭିଯୋଗ ରହିଛି। କେନ୍ଦୁଝର ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତରେ ଏହି ମାମଲା ବିଚାରଧୀନ ରହିଛି। ୨୦୧୫ ଜୁଲାଇ ମାସରେ ଏହି ମାମଲାର ଛଅ ଜଣ ଅଭିଯୁକ୍ତ ହରିଚରଣ ଗୁପ୍ତା, କାନ୍ତାଦେବୀ ଗୁପ୍ତା, ନିତୁ ଗୁପ୍ତା, ଚମ୍ପକ ଗୁପ୍ତା, ରାଉତରାୟ ମୁର୍ମୁ ଓ ଜଗଦୀଶ ମିଶ୍ରାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରାଯାଇଛି।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ