ଭୁବନେଶ୍ବର: ପଶ୍ଚିମ ଓ ଦକ୍ଷିଣ ଓଡିଶାରେ ହାଇକୋର୍ଟର ସ୍ଥାୟୀବେଞ୍ଚ ନେଇ ରାଜ୍ୟ ସରକାର ପୂର୍ବରୁ ଗଢିଥିବା କମିଟିକୁ ପୁନର୍ଗଠନ କରିଛନ୍ତି । ଏହାକୁ ନେଇ ଉଭୟ ପଶ୍ଚିମ ଓ ଦକ୍ଷିଣ ଓଡିଶାର ଓକିଲଙ୍କ ସହ ବିରୋଧୀ ଦଳ ମଧ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ମାର୍ଚ୍ଚ ମାସରେ ଗୃହ ସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଥିଲା । ପୂର୍ବରୁ ଗଠିତ ଥିବା କମିଟି କଣ କାମ କରିଛି ବୋଲି ମଧ୍ୟ ବିରୋଧୀ ପ୍ରଶ୍ନ କରିଛନ୍ତି ।
ଏହା ସହ ରାଜ୍ୟ ସରକାର ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ବଦଳରେ କମିଟି କରି ଭେଳିକି କରୁଛନ୍ତି ବୋଲି ବିରୋଧୀ ସମାଲୋଚନା କରିଛନ୍ତି । ସୂଚନା ଅନୁସାରେ ପଶ୍ଚିମ-ଦକ୍ଷିଣ ଓଡିଶାର ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ ଦୀର୍ଘ ବର୍ଷ ଧରି ଆନ୍ଦୋଳନ ହେଉଛି । ଏଥିପାଇଁ କୋର୍ଟ କଚେରୀ ମଧ୍ୟ ବାରମ୍ବାର ବନ୍ଦ ରହୁଛି । ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ନେଇ ବ୍ରହ୍ମପୁର, ରାଉରକେଲା,ସମ୍ବଲପୁର ଓ ବଲାଙ୍ଗୀରରେ ଆନ୍ଦୋଳନ ଏଯାଏ ଚାଲୁ ରହିଛି । ସରକାର ପୂର୍ବରୁ କରିଥିବା କମିଟିକୁ ଭାଙ୍ଗି ଏବେ ଆଉ ଏକ କମିଟି ଗଠନକୁ ନାପସନ୍ଦ କରିଛନ୍ତି ବିରୋଧୀ । ଏହି ନୂତନ କମିଟିରେ ବର୍ତ୍ତମାନର ଉନ୍ନୟନ କମିଶନର ସୁରେଶ ମହାପାତ୍ର ଅଧକ୍ଷ ଥିବା ବେଳେ ୬ ଜଣ ସଦସ୍ୟ ରହିଛନ୍ତି ।
ରାଜ୍ୟ ସରକାରଙ୍କ ଏପରି ନିଷ୍ପତ୍ତିରେ ଉଭୟ ବିଜେପି ଓ କଂଗ୍ରେସ ସରକାରଙ୍କୁ ସମାଲୋଚନା କରିଛନ୍ତି । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି ଯେ ସରକାର କେବଳ ସମୟ ଗଡାଇବା ପାଇଁ କମିଟି ଗଠନ କରୁଛନ୍ତି । ଏହାଦ୍ଵାରା ପଶ୍ଚିମ ଓଡିଶା ଓ ଦକ୍ଷିଣ ଓଡିଶା ଭିତରେ ବିବାଦ ବଢିବ ବୋଲି ସେ କହିଛନ୍ତି । ସେପଟେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହୀନପତି କହିଛନ୍ତି, ସରକାର କେବଳ କମିଟି ଓ କମିଶନ ଗଠନ କରି ପ୍ରହସନ କରୁଛନ୍ତି । କେବଳ ଭେଳିକି ଦେଖେଇବା ପାଇଁ ଏଭଳି କମିଟି ଗଠନ କରୁଛନ୍ତି ବୋଲି କହିଛନ୍ତି ତାରା । ବିରୋଧୀଙ୍କ ଏପରି ଅଭିଯୋଗକୁ ଖଣ୍ଡନ କରି ବିଜେଡି ବିଧାୟକ କିଶୋର ମହାନ୍ତି କହିଛନ୍ତି ରାଜ୍ୟ ସରକାର ଗଠନ କରିଥିବା କମିଟି ଖୁବଶୀଘ୍ର ରିପୋର୍ଟ ପ୍ରଦାନ କରିବେ ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ