ଭୁବନେଶ୍ବର: ଫନି ଯିବାପରେ ଧିରେ ଧିରେ ରାଜଧାନୀରେ ସ୍ବାଭାବିକ ହେଉଛି ବିଜୁଳି ସେବା । କେତେକ ଅଞ୍ଚଳରେ ବିଦ୍ୟୁତ ସଂଯୋଗ ଦିଆଯାଇଥିଲେ ମଧ୍ୟ ଅନେକ ଅଞ୍ଚଳରେ ଲୋକେ ଅନ୍ଧାରରେ ରାତି କାଟୁଛନ୍ତି । ତେବେ ରାଜଧାନୀରେ ଗତ ମେ’ 12 ତାରିଖ ସୁଦ୍ଧା ବିଜୁଳି ସଂଯୋଗ
ଦିଆଯିବା ନେଇ ଟାର୍ଗେଟ ଦିଆଯାଇଥିଲା । 12 ତାରିଖ ଯାଇ 15 ତାରିଖ ହେଲାଣି ତଥାପି ସ୍ବାଭାବିକ ହୋଇପାରୁନି ବିଜୁଳି ସଂଯୋଗ । ଅନ୍ୟପଟେ ବୁଧବାର ସରକାର ଦେଇଥିବା ତଥ୍ୟ ଉପରେ ଆସନ୍ତୁ ନଜର ପକାଇବା ।
ଗତ ମଙ୍ଗଳବାର ସୁଦ୍ଧା କଟକ ସିଡିଡି-୧ ଡିଭିଜନରେ ଥିବା ସମସ୍ତ ୭୧ ହଜାର ୮୬୭ ଉପଭୋକ୍ତାଙ୍କୁ ବିଜୁଳି ସଂଯୋଗ ଦିଆଯାଇ ଶତପ୍ରତିଶତ ସଫଳତା ହାସଲ ହୋଇଛି । ସେହିପରି ସିଡିଡି-୨ରେ ପ୍ରାୟ ୬୯ ହଜାର ୦୩୧ ଉପଭୋକ୍ତାଙ୍କ ମଧ୍ୟରୁ ବୁଧବାର ସୁଦ୍ଧା ୫୦ହଜାର ଉପଭୋକ୍ତାଙ୍କୁ ବିଦ୍ୟୁତ ସଂଯୋଗ ଦିଆଯାଇଛି ।
କଟକ ସିଇଡି ଅନ୍ତର୍ଗତ ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳର ୯୫ ହଜାର ୫୯୯ ଉପଭୋକ୍ତାଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୪୮ ହଜାର ୨୩୦ ଉପଭୋକ୍ତାଙ୍କୁ ବିଦ୍ୟୁତ ସଂଯୋଗ ଦିଆଯାଇଛି । ଭୁବନେଶ୍ୱରରେ ବିସିଡିଡି-୧ ଅନ୍ତର୍ଗତ ସମସ୍ତ ୫୮୭୪୨ ଉପଭୋକ୍ତାଙ୍କୁ ବିଦ୍ୟୁତ୍ ଯୋଗାଇ ଦିଆଯାଇଛି । ବିସିଡିଡି-୨ ଅନ୍ତର୍ଭୁକ୍ତ ସହରାଞ୍ଚଳ ଓ ଗ୍ରାମାଞ୍ଚଳର ମୋଟ ୧ ଲକ୍ଷ ୪୭ ହଜାର ୫୩୧ ଉପଭୋକ୍ତାଙ୍କ ମଧ୍ୟରୁ ୧ ଲକ୍ଷ ୧୮ ହଜାର ୭୭୮ ଜଣ ଉପଭୋକ୍ତାଙ୍କୁ ବିଦ୍ୟୁତ୍ ସଂଯୋଗ ଯୋଗାଇ ଦିଆଯାଇଛି ।
ସେହିପରି ବିଇଡି ଅଞ୍ଚଳର ସହରାଞ୍ଚଳ ଓ ଗ୍ରାମାଞ୍ଚଳ ମିଶି ୧ ଲକ୍ଷ ୯ ହଜାର ୯୮୪ ଉପଭୋକ୍ତାଙ୍କୁ ମଧ୍ୟରୁ ବୁଧବାର ସୁଦ୍ଧା ୯୩ ହଜାର ୮୪୧ ଜଣଙ୍କୁ ବିଦ୍ୟୁତ ପୁନଃସଂଯୋଗ କରାଯାଇଛି । ଫଳରେ ବିସିଡିଡି-୨ର ୮୧ ପ୍ରତିଶତ ଏବଂ ବିଇଡିର ୮୫ ପ୍ରତିଶତ ଉପଭୋକ୍ତା ବିଦ୍ୟୁତ ସଂଯୋଗ କରଣ ହୋଇଛି ବୋଲି ଲୋକ ସମ୍ପର୍କ ସଚିବ ସଞ୍ଜୟ ସିଂହ ସୂଚନା ଦେଇଛନ୍ତି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ