ଭୁବନେଶ୍ବର: କୋରୋନା ମାଡ଼ରେ ଦୁର୍ବଳ ହୋଇଯାଇଥିବା ଶିଳ୍ପକୁ ପୁଣି ଟ୍ରାକ ଫେରେଇବାକୁ ସରକାରଙ୍କ ଉଦ୍ୟମ । ଖୁବଶୀଘ୍ର ଶିଳ୍ପ କ୍ଷେତ୍ର ପାଇଁ ପ୍ୟାକେଜ ଘୋଷଣା କରିପାରନ୍ତି ସରକାର । ଏ ନେଇ ଆନ୍ତଃ ମନ୍ତ୍ରୀସ୍ତରୀୟ ବୈଠକରେ ପ୍ରାଥମିକ ଭାବେ ଆଲୋଚନା ହୋଇଛି ।
ଅଣୁ, କ୍ଷୁଦ୍ର ଓ ମାଧ୍ୟମ ଶିଳ୍ପ ସଂସ୍ଥାମାନଙ୍କର କଣ ସମସ୍ୟା ରହିଛି, କଣ ଆବଶ୍ୟକତା ରହିଛି ସରକାରଙ୍କୁ ଜଣାଇବା ପାଇଁ ସମସ୍ତ ଶିଳ୍ପ ଆସୋସିଏସନକୁ କୁହାଯାଇଛି । ବିଶେଷକରି ଭିତ୍ତିଭୂମି କ୍ଷେତ୍ରରେ ସରକାର ପୁଞ୍ଜି ନିବେଶ କରିବାକୁ ଚାହୁଁଛନ୍ତି । 4 ରୁ 5 ଦିନ ଭିତରେ ପୁନଶ୍ଚ ବୈଠକ ବସିବା ପରେ ନିଆଯିବ ଗୁରୁତ୍ୱପୁର୍ଣ୍ଣ ନିଷ୍ପତି । ବୈଠକ ପରେ ଫୋନ ଯୋଗେ ସୂଚନା ଦେଇଛନ୍ତି ଶିଳ୍ପ ବିଭାଗର ଅତିରିକ୍ତ ସଚିବ ନୀତିନ ଭାନୁଦାସ ଜାଓଲେ ।
ସୂଚନା ଅନୁସାରେ ଲକଡାଉନ ଯୋଗୁଁ ରାଜ୍ୟର ବୃହତ ଶିଳ୍ପ, ଏମଏସଏମଇ ଏବଂ ଷ୍ଟାର୍ଟଅପ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାର ପ୍ରଭାବ ରାଜ୍ୟ ଅର୍ଥନୀତି ଉପରେ ମଧ୍ୟ ପଡ଼ୁଛି । ତେବେ ଏହାର ସମାଧାନ ପାଇଁ ରାଜ୍ୟ ସରକାରଙ୍କ ଦ୍ଵାରା ଗଠନ କରାଯାଇଥିବା ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟି ଆଜି ରାଜ୍ୟର ବିଭିନ୍ନ ଶିଳ୍ପ ସଂଘ ସହିତ ଆଲୋଚନା କରିଛନ୍ତି । କୋରୋନା ମହାମାରୀ ସମୟରେ ରାଜ୍ୟର ଶିଳ୍ପ ଉଦ୍ୟୋଗକୁ କିପରି ଭାବେ ପରିଚାଳନା କରି ଅର୍ଥନୀତିକୁ ମଜବୁତ୍ କରାଯିବ ସେ ବିଷୟରେ ଆଲୋଚନା କରାଯାଇଛି ।
ଏହି ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟିରେ ଅର୍ଥମନ୍ତ୍ରୀଙ୍କୁ ଅଧ୍ୟକ୍ଷ ଭାବେ ନିଯୁକ୍ତି କରାଯାଇଥିବା ବେଳେ ସଦସ୍ୟ ଭାବେ ଇସ୍ପାତ ଓ ଖଣି ମନ୍ତ୍ରୀ, ଶ୍ରମିକ ଓ ଇଏସ୍ଆଇ ମନ୍ତ୍ରୀ, ଶିଳ୍ପ ଓ ଏମଏସଏମଇ ମନ୍ତ୍ରୀ, ଶକ୍ତି ମନ୍ତ୍ରୀଙ୍କୁ ନିଯୁକ୍ତି କରାଯାଇଛି । ତେବେ ସମ୍ପୃକ୍ତ ବିଭାଗର ସମସ୍ତ ସଚିବ ଆଲୋଚନାରେ ସାମିଲ ହୋଇଛନ୍ତି । ଶିଳ୍ପ ବିଭାଗର ପ୍ରମୁଖ ସଚିବ ଉକ୍ତ ବୈଠକର ଆବାହାକ ଭାବେ ଦାୟିତ୍ଵ ତୁଲାଇଛନ୍ତି ।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ