ଭୁବନେଶ୍ବର: ବର୍ତ୍ତମାନ ଶୀତ ଋତୁ ଚାଲିଛି । କେଉଁଠି ତାପମାତ୍ରା ମାଇନ୍ସ ହୋଇ ବରଫ ପଡ଼ିଲାଣି ତ କେଉଁଠି କୁହୁଡ଼ିର ଚାଦରରେ ସମଗ୍ର ପରିବେଶ ଆଚ୍ଛାଦିତ ହୋଇଯାଉଛି। ଶୀତର ଲହରୀ ଗାଁ ଠୁ ସହର ସବୁଠି ଲୋକମାନେ ଅନୁଭବ କରୁଛନ୍ତି। ଚାରି ଆଡେ କେବଳ ଶୀତ ସହ କୁହୁଡିର ଆସ୍ତରଣ ସହ ପାରଦ ତଳକୁ ଖସିବାରେ ଲାଗିଛି । ଏହାର ପ୍ରକୋପରୁ ରକ୍ଷା ପାଇବା ପାଇଁ ଲୋକମାନେ ବିଭିନ୍ନ ପ୍ରକାର ଶୀତବସ୍ତ୍ର ପରିଧାନ କରିଥାନ୍ତି। ସେଥିପାଇଁ ବିଭିନ୍ନ ପ୍ରକାରର ଶୀତବସ୍ତ୍ରର ସମ୍ଭାର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଛି।
ପ୍ରତିବର୍ଷ ଲୋକମାନେ ଶୀତ ଆସିଲେ ନିଜର ରଖିଥିବା ଶୀତବସ୍ତ୍ରକୁ କାଢି ବ୍ୟବହାର କରିଥାନ୍ତି କିମ୍ବା ନୂତନ ଶୀତ ବସ୍ତ୍ର କିଣି ପରିଧାନ କରିଥାନ୍ତି। କିନ୍ତୁ ଆମମାନଙ୍କ ଠାକୁର ବି ଶୀତ ବସ୍ତ୍ର ପରିଧାନ କରନ୍ତି, ଏହା ଅନେକ ହୁଏତ ଜାଣି ନଥିବେ। ସେମାନଙ୍କ ପାଇଁ ଦରଜି ଶୀତ ବସ୍ତ୍ର ପ୍ରସ୍ତୁତ କରିବା ସହ ଏହାକୁ ତାଙ୍କୁ ସ୍ବତନ୍ତ୍ର ନୀତି ପରେ ପ୍ରତିଦିନ ପରିଧାନ କରାଯାଏ। ଯାହାକି ଏହି ମାସରେ ପ୍ରତିବର୍ଷ ଏକ ସ୍ବତନ୍ତ୍ର ତିଥିରୁ ଆରମ୍ଭ ହୋଇ ଶିବରାତ୍ରି ପର୍ଯ୍ୟନ୍ତ ଚାଲେ। ଆମ ରାଜ୍ୟର ବିଭିନ୍ନ ମନ୍ଦିର ମାନଙ୍କରେ ଏଥିପାଇଁ ବ୍ୟବସ୍ଥା ଥିବାବେଳେ ପ୍ରତ୍ୟେକ ମନ୍ଦିର ପାଇଁ ସ୍ବତନ୍ତ୍ର ସେବକ ନିୟୋଜିତ ହୋଇ ଥାଆନ୍ତି। ଆମ ଏକାମ୍ର ଅଞ୍ଚଳରେ ଲିଙ୍ଗରାଜଙ୍କ ପାଇଁ ଓ ଅନ୍ୟ ଦେବାଦେବୀଙ୍କ ଶୀତ ବସ୍ତ୍ର ପ୍ରସ୍ତୁତ କରିଥିବା ଦର୍ଜି/ଡିଜାଇନରଙ୍କୁ ଆମେ ଭେଟିଥିଲୁ।
ନିଜ ପୂର୍ବ ପୁରୁଷଙ୍କ ଠାରୁ ଏହି କାର୍ଯ୍ୟ ଶିକ୍ଷା ଗ୍ରହଣ କରି ଆଜକୁ 40 ରୁ 50 ବର୍ଷ ହେବ ଏପରି କରୁଥିବା କହିଛନ୍ତି ସେବାୟତ ଦର୍ଜି ରଘୁନାଥ ମହାରଣା। ଭଗବାନଙ୍କ ଅନ୍ୟାନ୍ୟ ଉତ୍ସବ ଅବସରରେ ତାଙ୍କ ପାଇଁ କାର୍ଯ୍ୟ କରିବା ସହ ସେ ଏହି ଶୀତ ବସ୍ତ୍ର ଯାହାକୁ ଘୋଡଣ କୁହାଯାଏ ତାହା ପ୍ରସ୍ତୁତ କରନ୍ତି। ଅନ୍ୟ ଶ୍ରଦ୍ଧାଳୁମାନେ ନିଜ ନିଜ ଦିଅଁଙ୍କ ପାଇଁ ପୋଷାକ ପ୍ରସ୍ତୁତ କରିବାକୁ ଆସନ୍ତି । ଲିଙ୍ଗରାଜ ମନ୍ଦିର ସମ୍ମୁଖରେ ଏକ ଦୋକାନ କରି ସେ ଏହି କାର୍ଯ୍ୟ କରି ଆସୁଥିବାବେଳେ ଏବେ କିନ୍ତୁ ସେ ଦାଣ୍ଡକୁ ପଳାଇ ଆସିଛନ୍ତି । ଲିଙ୍ଗରାଜ ମନ୍ଦିରର ବିକାଶମୂଳକ କାର୍ଯ୍ୟକ୍ରମରେ ତାଙ୍କର ଦୋକାନ ଭାଙ୍ଗି ଯାଇଛି ।
ସେପଟେ ସରକାରଙ୍କ ପକ୍ଷରୁ ତାଙ୍କୁ କୌଣସି ପ୍ରକାର ସହାୟତା ମଧ୍ୟ ପ୍ରଦାନ କରାଯାଇନାହିଁ। ତେଣୁ ଆଗକୁ ଏପରି ସେବା ଭଗବାନ ପାଇବେ କି ନାହିଁ ତାହା ସନ୍ଦେହ ବୋଲି ସାଧାରଣ ଲୋକ ଆଶଙ୍କା କରିଛନ୍ତି । ସାଧାରଣ ଲୋକେ ତାଙ୍କୁ ସରକାର ସହାୟତା ପ୍ରଦାନ କରିବାକୁ ଦାବି କରିଛନ୍ତି ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ