ଭୁବନେଶ୍ବର: ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଜେ.ଡଙ୍ଗାପଦର ଗ୍ରାମପଞ୍ଚାୟତର ନାଏବ ସରପଞ୍ଚ କୃଷ୍ଣଚନ୍ଦ୍ର ଜେନାଙ୍କୁ ନିଲମ୍ବନ କରାଯାଇଛି । କୋଭିଡ ନିୟମ ଓ କଟକଣା ଉଲ୍ଲଂଘନ କରିଥିବା କାରଣରୁ ତାଙ୍କୁ ରାଜ୍ୟ ସରକାର ନିଲମ୍ବନ କରିଛନ୍ତି ବୋଲି ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି ।
କୋଭିଡ ନିୟମ ଉଲଂଘନ କରି ହୋମ ଯଜ୍ଞ ସହ କଳସ ଯାତ୍ରା କରୁଥିଲେ ନାଏବ ସରପଞ୍ଚ କୃଷ୍ଣଚନ୍ଦ୍ର ଜେନା । ଘଟଣାରେ 11 ଜଣଙ୍କୁ ଗିରଫ କରିଥିଲା ପୋଲିସ । କୋରୋନା ନିୟମକୁ ଉଲ୍ଲଂଘନ କରି ଗାଁରେ ୫ ଶହରୁ ଅଧିକ ଲୋକ ସମାଗମ ମଧ୍ୟରେ ପଞ୍ଚମୁଖି ହନୁମାନ ମନ୍ଦିର ପ୍ରତିଷ୍ଠା ଲାଗି ଯଜ୍ଞର ଆୟୋଜନ କରିଥିଲେ ନାଏବ ସରପଞ୍ଚ । ସାମାଜିକ ଦୂରୂତାକୁ ଭୁଲି ଯାଇ ଶହଶହ ମହିଳାମାନେ କଳସ ଯାତ୍ରା କରିଥିଲେ । ଏନେଇ ଗାଁର ଜଣେ ଯୁବକ ଯଜ୍ଞକୁ ବିରୋଧ କରିଥିଲେ । ଫଳରେ ତାଙ୍କୁ ଆକ୍ରମଣ ମଧ୍ୟ କରାଯାଇଥିଲା । ଏନେଇ ପୋଲସରା ଥାନାରେ ମାମଲା ରୁଜୁ କରାଯିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
ଘଟଣାକୁ ନେଇ ସୋସିଆଲ ମିଡ଼ିଆରେ ଭିଡ଼ଓ ଭାଇରଲ ହୋଇଥିବାବେଳେ ପ୍ରଶାସନିକ ସ୍ତରରେ ତତ୍ପରତା ପ୍ରକାଶ ପାଇଥିଲା । ଘଟଣାର ଗୁରୁତ୍ବର ସହ ନେଇ ସ୍ଥାନୀୟ ବିଡିଓ ଶମ୍ଭୁନାଥ ନନ୍ଦୀ ଓ ତହସିଲଦାର ସୁକାନ୍ତ ଚନ୍ଦ୍ର ମିଶ୍ର ଆଲୋଚନା କରି ପୋଲସରା ଥାନାରେ ଶନିବାର ନାଏବ ସରପଞ୍ଚ କୃଷ୍ଣଚନ୍ଦ୍ର ଜେନାଙ୍କ ନାମରେ ଏତଲା ଦେଇଥିଲେ । ପରେ ପୋଲସରା ପୋଲିସ କୋଭିଡି ନିୟମକୁ ଉଲ୍ଲଂଘନ କରିବା ନେଇ ଧାରା ୧୭୧ ରେ ଏକ ମାମଲା ରୁଜୁ କରି ମର୍ଦ୍ଧରାଜପୁର ଗାଁରେ ଥିବା ନାଏବ ସରପଞ୍ଚ କୃଷ୍ଣଚନ୍ଦ୍ର ଜେନା, ଯଜ୍ଞ କରିଥିବା ବ୍ରାହ୍ମଣ ସମେତ 11 ଜଣଙ୍କୁ ଗିରଫ କରିଥିବା ଥାନାଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକ ସୂଚନା ଦେଇଛନ୍ତି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁଙ୍କ ସହ ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ