ଭୁବନେଶ୍ବର: ମିଶୁ ମୋର ଦେହ ଏ ଦେଶ ମାଟିରେ...ଦେଶବାସୀ ଚାଲି ଯାଆନ୍ତୁ ପିଠିରେ । ଯାହାଙ୍କ ଏହି ଦୁଇ ଧାଡି କବିତାରୁ ବାରି ହୁଏ ତାଙ୍କ ତ୍ୟାଗ ଓ ବଳିଦାନର ଗାଥା । ଆଜୀବନ ମାନବ ସେବାରେ ଦୀକ୍ଷିତ ଜଣେ ଦରଦୀ ବନ୍ଧୁ । ତ୍ୟାଗ, ବଳିଦାନ ଓ ସେବାର ମୂର୍ତ୍ତିମନ୍ତ ପ୍ରତୀକ । ଦିନ ଦରିଦ୍ରଙ୍କ ସେବାରେ ଉତ୍ସର୍ଗୀକୃତ ସେହି ଜନନାୟକ ଗୋପବନ୍ଧୁ ଦାସ । ଏକାଧାରାରେ ଯେ ଥିଲେ ଜଣେ ଦେଶପ୍ରେମୀ, ସମାଜସେବୀ, ସଂଗଠକ, ସଂସ୍କାରକ ଏବଂ ସାହିତ୍ୟିକ । ଆଜି ସେହି ପୂଣ୍ୟତ୍ମା ଓଡିଶାର ବରପୁତ୍ର ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୧୪୫ ତମ ଜୟନ୍ତୀ ।
ଗୋପବନ୍ଧୁ ଦାସ ଥିଲେ ଜଣେ ଅସାମାନ୍ୟ ପ୍ରତିଭାଧାରୀ ପୁରୁଷ । ଯିଏ ରୋଗାଗ୍ରସ୍ତ ପୁଅକୁ ଘରେ ଛାଡ଼ି ଅନାହାର, ଦୁର୍ଭିକ୍ଷ ଓ ବନ୍ୟା ପ୍ରପୀଡ଼ିତ ଲୋକମାନଙ୍କୁ ସାହାଯ୍ୟ କରିବାକୁ ଘରୁ ଗୋଡ଼ କାଢିଥିଲେ । ପତ୍ନୀ ଯେତେବେଳେ ପଣତ କାନି କାଢି ନିଜ ପୁଅର ଜୀବନ ଭିକ୍ଷା କରିଥିଲେ, ସେହି ସମୟରେ ତାଙ୍କ ବାକ୍ୟ ଥିଲା 'ଗୋଟିଏ ସନ୍ତାନକୁ ବଞ୍ଚାଇବାକୁ ଚାହିଁ ମୁଁ କୋଟିଏ ସନ୍ତାନଙ୍କ ଜୀବନ ସାରିବାକୁ ଚାହେଁ ନାହିଁ ।' ସେଥିପାଇଁ ତ ସେ ଚିରବନ୍ଦିତ । କେବଳ ସ୍ବାଧୀନତା ସଂଗ୍ରାମୀ ନୁହେଁ, ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ମୁଖ୍ୟନାୟକ ଥିଲେ ଗୋପବନ୍ଧୁ ।
ଉତ୍କଳମଣି ଗୋପବନ୍ଧୁ ଦାସ ଜନ୍ମ ୧୮୭୭ ଅକ୍ଟୋବର ୯ ତାରିଖରେ ପୁରୀସ୍ଥିତ ସୁଆଣ୍ଡୋ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ପିତା ଥିଲେ ଦୈତାରୀ ଦାସ ଓ ମାତା ସ୍ବର୍ଣ୍ଣମୟୀ ଦେବୀ । ସେ ୧୯୦୪ରେ ରେଭେନ୍ସା ମହାବିଦ୍ୟାଳୟରେ ବିଏ ପାସ କରିଥିଲେ ଏବଂ ପରେ କଲିକତାରେ ବିଏଲ ଅଧ୍ୟୟନ କରିଥିଲେ । ପିଲାଟି ବେଳୁ ସେ ଥିଲେ ଅତି ସରଳ ପ୍ରକୃତିର ମଣିଷ ଏବଂ ଆଜୀବନ ତ୍ୟାଗ ମନ୍ତ୍ରରେ ଦୀକ୍ଷିତ । ଯେତେବେଳେ ପୁରୀରେ ହଇଜା ବ୍ୟାପିଥିଲା ସେହି ସମୟରେ ଲୋକଙ୍କ ସେବା ପାଇଁ ପୁରୀ ସେବା ସମିତି ପ୍ରତିଷ୍ଠା କରିଥିଲେ । ବନ୍ୟା ହେଉ କି ବାତ୍ୟା ପ୍ରତିଟି ଦୁର୍ବିପାକ ସମୟରେ ଜଣେ ଦରଦୀ ବନ୍ଧୁ ଭାବେ ପ୍ରପୀଡିତ ଲୋକଙ୍କ ପାଖରେ ଠିଆ ହେଉଥିଲେ । ସେ ୧୯୦୯ ମସିହାରେରେ ସାକ୍ଷୀଗୋପାଳ ଠାରେ ବନ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ । ଏଥିସହ ସମାଜ ଓ ସତ୍ୟବାଦୀ ପତ୍ରିକାର ପ୍ରତିଷ୍ଠାତା ମଧ୍ୟ ଅଟନ୍ତି ଗୋପବନ୍ଧୁ ଦାସ ।
ଗୋପବନ୍ଧୁ ଦାସ ଓଡିଶାର ଜଣେ ମହାନ ସାହିତ୍ୟିକ ମଧ୍ୟ ଅଟନ୍ତି । ତାଙ୍କର ସାରସ୍ବତ ରଚନା ମଧ୍ୟରୁ ବନ୍ଦୀର ଆତ୍ମକଥା, କାରାକବିତା, ଧର୍ମପଦ, ନଚିକେତା, ଉପାଖ୍ୟାନ, ଗୋମାହାତ୍ମ୍ୟ ଅନ୍ୟତମ । ଆଜି ସେ ଆମ ଗହଣରେ ନାହାନ୍ତି ସତ, ହେଲେ ଆଜି ବି ତାଙ୍କ ତ୍ୟାଗ ଓ ବଳିଦାନ ତାଙ୍କୁ ପ୍ରତିଟି ଓଡିଆ ହୃଦୟରେ ଚିରସ୍ମରଣୀୟ ଓ ଚିରବନ୍ଦିତ ରଖିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ