ଭୁବନେଶ୍ବର: ଆସନ୍ତା ମାର୍ଚ୍ଚ ମାସରେ ଆଗତ ହେବ ବଜେଟ (Odisha Budget 2022-23) । ଏ ନେଇ ରାଜ୍ୟ ସରକାର ଆରମ୍ଭ କରିଲେଣି ବଜେଟ ପ୍ରସ୍ତୁତି । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ବଜେଟ ପ୍ରସ୍ତୁତି ଲାଗି ଜନସାଧାରଣଙ୍କ ମତାମତ ଲୋଡିଛନ୍ତି ଅର୍ଥମନ୍ତ୍ରୀ । ଇମେଲ, ଏସଏମଏସ, WhatsApp ମାଧ୍ୟମରେ ମତାମତ ଲୋଡିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ (Finance minister Niranjan Pujari on Budget preparation) ।
ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି ଯେ, ଅର୍ଥ ବିଭାଗ ସମାଜର ବିଭିନ୍ନ ବର୍ଗର ପ୍ରତିନିଧିମାନଙ୍କର ମତାମତ ନେଇ ବଜେଟ୍ର ପୂର୍ବ ପ୍ରସ୍ତୁତି କରିଆସୁଛନ୍ତି । ବିଗତ ବର୍ଷ ମାନଙ୍କରେ ବଜେଟ୍ ପ୍ରସ୍ତୁତିକୁ ସୂଚନା ଓ ପ୍ରସାରଣ ପ୍ରଯୁକ୍ତି ବିଦ୍ୟା ମାଧ୍ୟମରେ ଅଧିକ ଉନ୍ମୁକ୍ତ ଓ ସହଭାଗିତା ଭିତ୍ତିରେ କରାଯାଇଛି । ଏଥିପାଇଁ ଅର୍ଥ ବିଭାଗ ଏକ ସ୍ବତନ୍ତ୍ର ୱେବ୍ ପୋର୍ଟାଲ ଜରିଆରେ , e - mail , WhatsApp ଓ SMS ମାଧ୍ୟମରେ ମତାମତ ସଂଗ୍ରହ କରିଥିଲେ। ବଜେଟ ସଂକ୍ରାନ୍ତୀୟ ସମସ୍ତ ଦସ୍ତାବିଜ ଏହି ପୋର୍ଟାଲରେ ଉପଲବ୍ଧ ହୋଇଛି ।
ଏହା ମଧ୍ୟ ପଢନ୍ତୁ: New Year Wish: ମୁଖ୍ୟମନ୍ତ୍ରୀଙ୍କୁ ନୂଆବର୍ଷର ଶୁଭେଚ୍ଛା ଜଣାଇଲେ ସମସ୍ତ ସଚିବ
2022-23 ବାର୍ଷିକ ବଜେଟ୍ ପ୍ରସ୍ତୁତି ପାଇଁ ଅର୍ଥ ବିଭାଗ ଜନସାଧାରଣଙ୍କଠାରୁ ମତାମତ ସଂଗ୍ରହ କରିବା ନିମନ୍ତେ ଏକ ନିର୍ଦ୍ଦିଷ୍ଟ ଢାଞ୍ଚାରେ ପରାମର୍ଶ ଆହ୍ବାନ କରିଛନ୍ତି । ୱେବ୍ ପୋର୍ଟାଲ ଏହି ପରାମର୍ଶ https://budget.odisha.gov.in/ରେ ଉପଲବ୍ଧ ହେବ । ମତାମତ e - mail ଦ୍ବାରା odisha.budget@gov.in ଠିକଣାରେ ପଠାଇ ପାରିବେ । ସେହିପରି ବଜେଟ୍ ସମ୍ବନ୍ଧୀୟ ମତାମତ WhatsApp ମାଧ୍ୟମରେ ( +91 ) 9438161111 ମୋବାଇଲ ନମ୍ବରକୁ ଏବଂ ସାମାଜିକ ଗଣମାଧ୍ୟମ Twitter (@FdOdisha ) ଓ Facebook (@FinanceOdisha) ଦ୍ବାରା ମଧ୍ୟ ପଠାଇ ପାରିବେ । ଏହି ସୁବିଧା ଆଜିଠାରୁ ଜାନୁୟାରୀ 31 ପର୍ଯ୍ୟନ୍ତ ଉପଲବ୍ଧ ରହିବ । ସରକାରଙ୍କର ବଜେଟ୍ ପ୍ରସ୍ତୁତି କାର୍ଯ୍ୟକ୍ରମରେ ସକ୍ରିୟ ଯୋଗଦାନ କରିବା ଲାଗି ଜନସାଧାରଣ, ନାଗରିକ ସମାଜ, ବିଭିନ୍ନ ଅଧିବାଚକ ସଂଘ ଓ ଅନ୍ୟାନ୍ୟ ହିତାଧିକାରୀଙ୍କୁ ଅର୍ଥ ମନ୍ତ୍ରୀ ଅନୁରୋଧ କରିଛନ୍ତି ।
ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ଇଟିଭି ଭାରତ