ଭୁବନେଶ୍ବର: ଗୁରୁବାର ରାଜଭବନର ଅଭିଷେକ କକ୍ଷରେ ସେଣ୍ଟ ଜନ ଆମ୍ବୁଲାନ୍ସ ସଙ୍ଗଠନର କାର୍ଯ୍ୟନିର୍ବାହୀ କମିଟି ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ଅଧ୍ୟକ୍ଷତା କରିଛନ୍ତି ସେଣ୍ଟ ଜନ୍ ଆମ୍ବୁଲାନ୍ସ ଓଡ଼ିଶା ଶାଖାର ସଭାପତି ରାଜ୍ୟପାଳ ଗଣେଶୀ ଲାଲ । ସେବା ହିଁ ଆଧ୍ୟାତ୍ମିକତା । ଯେଉଁମାନେ ଅନ୍ୟର ସେବାରେ ନିଜକୁ ସମର୍ପିତ କରିଛନ୍ତି ସେମାନେ ନିଜ ଜୀବନର ସାର୍ଥକତା ପ୍ରତିପାଦନ କରିପାରିଛନ୍ତି । ସେବା ବାସ୍ତବରେ ବସ୍ତୁ ଆଧାରିତ ନୁହେଁ । ଏହା ଭାବ ଆଧାରିତ ଏବଂ ସେଣ୍ଟ ଜନ୍ ଆମ୍ବୁଲାନ୍ସ ଏହି ଭାବଧାରାରେ ସେବା କାର୍ଯ୍ୟକୁ ଆହୁରି ପ୍ରସାରିତ କରିବାକୁ ବୈଠକରେ ପରାମର୍ଶ ଦେଇଛନ୍ତି ରାଜ୍ୟପାଳ ।
ଏଥିସହ ସେଣ୍ଟ ଜନ୍ ଆମ୍ବୁଲାନ୍ସର ସେବା କାର୍ଯ୍ୟକୁ ଆହୁରି କ୍ରିୟାଶୀଳ ଓ ଫଳପ୍ରସୂ କରିବା ନିମନ୍ତେ ସମୟ ଉପଯୋଗୀ ପଦକ୍ଷେପ ନେବାକୁ ଗଣେଶୀ ଲାଲ୍ କହିଛନ୍ତି । ପ୍ରାରମ୍ଭରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ତଥା ସେଣ୍ଟ ଜନ୍ ଆମ୍ବୁଲାନ୍ସ, ଓଡ଼ିଶା ଶାଖାର ଅଧ୍ୟକ୍ଷ ନବ କିଶୋର ଦାସ ସ୍ଵାଗତ ସୂଚନା ଦେଇଥିଲେ । ଅବୈତନିକ ସଚିବ ଡ. ସନତ କୁମାର ପଟ୍ଟନାୟକ ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ । ସେଣ୍ଟ ଜନ୍ ଆମ୍ବୁଲାନ୍ସର କାର୍ଯ୍ୟାଳୟ ଗୃହ ନିର୍ମାଣ, ସରକାରୀ ଅନୁଦାନ ବୃଦ୍ଧି, କର୍ମଚାରୀମାନଙ୍କର ବେତନ ବୃଦ୍ଧି, ବିଦ୍ୟାଳୟଗୁଡ଼ିକରେ ପ୍ରାଥମିକ ଚିକିତ୍ସା ସେବା ପ୍ରଶିକ୍ଷଣ ଓ ପ୍ରଶିକ୍ଷାର୍ଥୀମାନଙ୍କୁ ଠିକ୍ ସମୟରେ ପ୍ରମାଣପତ୍ର ପ୍ରଦାନ ସଂପର୍କରେ ଆଲୋଚନା ହୋଇଥିଲା । ସେଣ୍ଟ ଜନ୍ ଆମ୍ବୁଲାନ୍ସ ସେବାକୁ ଆହୁରି ରୋଗୀସେବା ଅନୁକୂଳ କରିବାକୁ ବୈଠକରେ ମତପ୍ରକାଶ ପାଇଥିଲା । ରାଜ୍ୟପାଳ ପ୍ରଫେସର ଲାଲ୍ କମିଟି ଗଠନ କରି ସମସ୍ତ ପ୍ରସଙ୍ଗ ଉପରେ ସେପ୍ଟେମ୍ବର ୩୦ ତାରିଖ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।
ବୈଠକରେ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଶାଶ୍ଵତ କୁମାର ମିଶ୍ର, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ, ରେଡକ୍ରସ୍ ଓଡ଼ିଶା ଶାଖାର ସଚିବ ସିଟିଏମ୍ ସୁଗୁଣା, ପୋଲିସ ଅତିରିକ୍ତ ମହାନିର୍ଦ୍ଦେଶକ ଲଳିତ ଦାସ, ଗୃହ ବିଭାଗର ସ୍ଵତନ୍ତ୍ର ସଚିବ ଡ. ସନ୍ତୋଷ ବାଲା ପ୍ରମୁଖ ଯୋଗ ଦେଇଥିଲେ । ବୈଠକରେ ପୂର୍ବ ବୈଠକର ବିବରଣୀ ଗୃହୀତ ହେବା ସହ ସଂସ୍କାର ଆର୍ଥିକ ବିବରଣୀ ଓ ବାର୍ଷିକ ବିବରଣୀ ଇତ୍ୟାଦି ଗୃହୀତ ହୋଇଥିଲା ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ