ଭୁବନେଶ୍ବର: ନ୍ୟାୟ ପାଇଁ ଦୀର୍ଘ 5 ବର୍ଷ ଧରି ସଂଘର୍ଷ କରୁଥିଲେ ସ୍ଥାନୀୟ ବାସିନ୍ଦା ବିନୋଦିନି ପଣ୍ଡା । ପରେ ସିଏମଓଙ୍କୁ ଟ୍ବିଟ୍ କରି ଅଭିଯୋଗ ଜଣାଇବା ପରେ ଶେଷରେ ତାଙ୍କୁ ନ୍ୟାୟ ମିଳିଛି । ରାଜଧାନୀ ସ୍ଥିତ ୟୁନିଟ 1 ହାଟରେ ଦୋକାନ କରି ଗୁଜୁରାଣ ମେଣ୍ଟାନ୍ତି ବିନୋଦିନି । ହେଲେ ହାଟରେ ଗୁଣ୍ଡାରାଜ ଚଳାଇଥିବା କିଛି ଲୋକ ତାଙ୍କ ଦୋକାନରୁ ଜିନିଷ ଚୋରି କରି ନେବା ସହ ଦୋକାନ ଘରକୁ ଅକ୍ତିଆର କରି ନେଇଥିଲେ ।
ବିନୋଦିନି ଏନେଇ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ । କିନ୍ତୁ ବାରମ୍ବାର ଅଭିଯୋଗ ସତ୍ତ୍ବେ କ୍ୟାପିଟାଲ ଥାନାର ଆଇଆଇସି ଗିରିଜା ଶଙ୍କର ଚକ୍ରବର୍ତ୍ତୀ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ । ସେପଟେ ୟୁନିଟ 1ରେ ଗୟାଧର ସ୍ବାଇଁର ଗୁଣ୍ଡାରାଜ ବିସ୍ତାର ହେବାରେ ଲାଗିଥିଲା । ଯାହା କମିଶନରେଟ ପୋଲିସର ପାରିବା ପଣିଆକୁ ପଦାରେ ପକାଇଥିଲା । କିନ୍ତୁ ବିନୋଦିନିଙ୍କ ଜୀବନର ଏହି ସଂଘର୍ଷପୂର୍ଣ୍ଣ ସ୍ରୋତରେ ତାଙ୍କୁ ନ୍ୟାୟ ପାଇବାରେ ସହଯୋଗ କରିଥିଲା 'ଇଟିଭି ଭାରତ' । ‘ଇଟିଭି ଭାରତ’ରେ ଏସମ୍ପର୍କରେ ପ୍ରଥମେ ଖବର ପ୍ରସାରିତ ହୋଇଥିଲା ।
ଏହା ପରେ ସିଏମଓଙ୍କଠୁ ଆରମ୍ଭ କରି ଡିଜିପି, ଡିସିପି, ବିଏମସି ଭୁବନେଶ୍ବରକୁ ଅଭିଯୋଗ କରିବା ସହ ପ୍ରକାଶିତ ଖବର ସହ ଏକ ଏତଲା କପି ହୋଇଥିଲା ଟ୍ବିଟ । ରାକେଶ ପଣ୍ଡା ନାମକ ଜଣେ ଟ୍ବିଟର ବ୍ୟବହାରକାରୀ ଏହି ଟ୍ବଟ୍ କରିଥିଲେ । ଏଥିରେ କ୍ୟାପିଟାଲ ଥାନାର ଆଇଆଇସିଙ୍କ ମାମଲା ସମାଧାନ କରିବାକୁ କ୍ଷମତା ନାହିଁ ବୋଲି ଦର୍ଶାଇଥିଲେ । ମାତ୍ର ଦୀର୍ଘ ଦିନର ସଂଘର୍ଷ ପରେ ଶେଷରେ ମଙ୍ଗଳବାର ବିଏମସିର କର୍ମଚାରୀ ଓ ପୋଲିସ ଉପସ୍ଥିତିରେ ଉକ୍ତ ଦୋକାନ ଘରକୁ ଖାଲି କରି ତାଙ୍କୁ ହସ୍ତାନ୍ତର କରାଯାଇଛି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ