ଭୁବନେଶ୍ବର: ସାରା ବିଶ୍ବରେ ଅଧିକ ବ୍ୟବହାର ହେଇଥିବା ଧାତବ ପଦାର୍ଥଙ୍କ ମଧ୍ୟରୁ ଆଲୁମିନିୟମ ଅନ୍ୟତମ । ଏହି ପଦାର୍ଥର ଉତ୍ପାଦନ ପରେ କିପରି ଏହାର ବର୍ଜ୍ୟକୁ ସଠିକ ଭାବେ ବିନିଯୋଗ କରାଯାଇପାରିବ ଏବଂ ବ୍ୟବହୃତ ଆଲୁମିନିୟମକୁ କିପରି ପୁନଃ ବ୍ୟବହାର ଉପଯୋଗୀ କରାଯାଇପାରିବ ସେ ନେଇ ଆରମ୍ଭ ହୋଇଯାଇଛି ମାନସ ମନ୍ଥନ । ଆଲୁମିନିୟମକୁ ନେଇ ଏହି ପ୍ରୟାସ ବର୍ତ୍ତମାନର ସମାଜ ପାଇଁ ଏକ ଆହ୍ବାନ ହେବା ସହ ପରିବେଶର ସନ୍ତୁଳନ ରକ୍ଷା ପାଇଁ ଅତ୍ୟନ୍ତ ଜରୁରୀ ଅଟେ ।
ମଙ୍ଗଳବାର ଭୁବନେଶ୍ବରରେ ଭାରତ ସରକାରଙ୍କ ଖଣି ବିଭାଗ ଓ ନୀତି ଆୟୋଗ ପକ୍ଷରୁ ଏନେଇ 3 ଦିନିଆ କର୍ମଶାଳା ଉଦଘାଟିତ ହୋଇଯାଇଛି । ଯେଉଁଥିରେ ଖଣି, ଇଣ୍ଡଷ୍ଟ୍ରି, ପରିବେଶ ଓ ବୈଷୟିକ ଜ୍ଞାନକୌଶଳ ସହିତ ଜଡିତ ଅନୁଷ୍ଠାନ ମୁଖ୍ୟତଃ ଆଲୁମିନିୟମ ସମ୍ବନ୍ଧୀୟ ସଂଶ୍ଲିଷ୍ଟ ଅନୁଷ୍ଠାନ, ଅଧିକାରୀ ଓ ବ୍ୟକ୍ତିବିଶେଷମାନେ ଏଥିରେ ଯୋଗ ଦେଇଥିଲେ । ବିଶ୍ବର ଅନ୍ୟାନ୍ୟ ବିକାଶଶୀଳ ଦେଶ ଏନେଇ ପଦକ୍ଷେପ ଗ୍ରହଣ କରୁଥିବାବେଳେ ଆମ ଦେଶରେ କିପରି ଏହାକୁ କାର୍ଯ୍ୟକାରୀ କରାଯାଇପାରିବ ସେ ନେଇ ଏହି କର୍ମଶାଳାରେ ଆଲୋଚନା କରାଯାଇଥିଲା । ଭାରତ ସରକାରଙ୍କ ସଦସ୍ୟ ସଚିବ ରତନ ପି ୱାଟଲ ଏନେଇ ସୂଚନା ଦେଇଛନ୍ତି ।
ପି ୱାଟଲଙ୍କ କହିବାନୁସାରେ, କେବଳ ଆଲୁମିନିୟମ ନୁହେଁ ବିଭିନ୍ନ ଇଲୋକ୍ଟ୍ରୋନିକ୍, କନଷ୍ଟ୍ରକସନ ଏବଂ ଷ୍ଟିଲ ଆଦିରୁ ବାହାରୁ ଥିବା ବର୍ଜ୍ୟବସ୍ତୁକୁ ଫିଙ୍ଗି ଦିଆଯାଉଥିଲା । ତେବେ ସେହି ବର୍ଜ୍ୟବସ୍ତୁକୁ କିପରି ସୁ-ସଂଗଠିତ କରାଯାଇ ପୁନଃ ବ୍ୟବହାରକ୍ଷମ କରାଯିବ ଏବଂ ସେଥିରୁ ଉପାର୍ଜନର ସୁଯୋଗ ସୃଷ୍ଟି କରାଯିବ ସେ ନେଇ ଚିନ୍ତା କରିବାର ସମୟ ଆସିଯାଇଛି । ଆଗାମୀ 5 ବର୍ଷରେ ଭାରତ 5 ଟ୍ରିଲିଅନ ଡଲାର ଅର୍ଥନୀତି ହେବାକୁ ଲକ୍ଷ୍ୟ ରଖିଛି । ଏନେଇ ବର୍ଜ୍ୟ ପରିଚାଳନାରେ ଏବେ ଠାରୁ ସ୍ବତନ୍ତ୍ର ନୀତି ପ୍ରସ୍ତୁତ କରାନଗଲେ ଏହା ଆମ ଲକ୍ଷ୍ୟରେ ବାଧକ ହେବ ବୋଲି ସେ ପରୋକ୍ଷରେ ସୂଚିତ କରିଛନ୍ତି । ଏହି 3 ଦିନିଆ କର୍ମଶାଳାରେ ଯାହା ଫଳାଫଳ ବାହାରିବ ତାହାକୁ ଅନୁଧ୍ୟାନ କରାଯିବା ସହିତ କିପରି ବର୍ଜ୍ୟକୁ ପୁନଃ ବ୍ୟବହାରକ୍ଷମ କରାଯିବ ତାହା ଉପରେ ଫୋକସ ରହିବ ବୋଲି ସେ କହିଛନ୍ତି ।
। ଏହି କର୍ମଶାଳାର ବିଭିନ୍ନ ସୋପାନରେ ବିଶିଷ୍ଟ ବ୍ୟକ୍ତି ତଥା ବିଶେଷଜ୍ଞମାନେ ଯୋଗଦେଇ ଉକ୍ତ ବିଷୟ ଉପରେ ଗଭୀର ଭାବେ ଆଲୋଚନା କରିବେ । ଶେଷରେ ଏହି ରିପୋର୍ଟକୁ ଭାରତ ସରକାରଙ୍କୁ ପ୍ରଦାନ କରାଯିବ ବୋଲି ଜଣାପଡିଛି ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ