ଭୁବନେଶ୍ବର: ମହଙ୍ଗା ପଡିଲା ବେଆଇନ ଖଣି ଖନନ । ରାଜ୍ୟ ସରକାର ରୟାଲଟି ହରାଇବା ପରେ ଅଡୁଆରେ ପୂର୍ବତନ ବିଧାୟକ ତଥା ଖଣି ମାଲିକ ଜିତୁ ପଟ୍ଟନାୟକ । ଖଣି ମାଲିକ ଜିତେନ୍ଦ୍ର ନାଥ ପଟ୍ଟନାୟକ ଓରଫ ଜିତୁ ପଟ୍ଟନାୟକଙ୍କ ଘରେ ପ୍ରବର୍ତ୍ତନ ନିର୍ଦେଶାଳୟର(ED) ଚଢ଼ାଉ । ଚଢାଉ ପରେ ଇଡି ହାତରେ ଲାଗିଛି ୧୩୩ କୋଟିର ଫିକ୍ସ ଡିପୋଜିଟ ସହ ନଗଦ ୬୯ଲକ୍ଷ ଟଙ୍କା । ଯୋଡ଼ାରେ ୨ଟି ଜାଗା, ଭୁବନେଶ୍ବରର ସୂର୍ଯନଗରରେ ଘର ସହ ରସୁଲଗଡ ଗୁଞ୍ଜନ ପାଲେସରେ ଥିବା ଘରେ ଏକକାଳୀନ ଚଢ଼ାଉ ବେଳେ ମିଳିଲା ଆର୍ଥିକ କାରବାରର ସୁରାକ୍ । ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଳାଇଛି ତନାଘନା ।
ଜାଲ ଦସ୍ତଖତ ଜରିଆରେ କାଗଜ ହାତେଇ 1999 -2009 ପର୍ଯ୍ୟନ୍ତ ବେଆଇନ ଖଣି କାରବାର କରିଥିଲେ ଜିତୁ ପଟ୍ଟନାୟକ । ଯାହା ଫଳରେ ରାଜ୍ୟ ସରକାରଙ୍କୁ 130କୋଟି ଟଙ୍କାର କ୍ଷତି ସହିବାକୁ ପଡିଥିବା ଜଣାପଡିଛି । ଏନେଇ ଭିଜିଲାନ୍ସ 2009 ମସିହାରେ FIR ହେବା ସହ 2013ରେ ଚାର୍ଜସିଟ ଦାଖଲ ହୋଇଥିଲା । ଏବେ ସେହି ବେଆଇନ ଖଣି ଖନନ ଏବଂ ଅର୍ଥ କାରବାର ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ(ED) ଏକକାଳୀନ ଖଣି ମାଲିକଙ୍କ ଆର୍ଥିକ କାରବାରର ଖିଅ ଖୋଲିଛି । ଭୁବନେଶ୍ବର ଓ ଯୋଡ଼ାରେ ରେଡ଼ କରି ସମସ୍ତ ମନି ଲଣ୍ଡରିଂ ଖୁଲାସା ଚଳାଇଛି । ତେବେ ଜିତେନ୍ଦ୍ର ନାଥ ପଟ୍ଟନାୟକଙ୍କ ବାପା ସ୍ବର୍ଗତ ବଂଶୀଧର ପଟ୍ଟନାୟକଙ୍କୁ 260 ଏକର ମାଇନିଂ ଲିଜ ଅକାରରେ ଦିଆଯାଇଥିଲା ।
ମାଙ୍ଗାନିଜ ଖଣିକୁ 20ବର୍ଷ ପାଇଁ ଲିଜ ଦିଆଯାଇଥିଲା । ଏଥିସହ ଆଇରନ ଓରକୁ 30 ବର୍ଷ ପାଇଁ ଲିଜ ଦିଆଯାଇଥିଲା । ଲିଜ ପ୍ରକ୍ରିୟା 1959 ମସିହାରେ ଆରମ୍ଭ ହୋଇଥିଲା କିନ୍ତୁ ବଂଶୀଧର ପଟ୍ଟନାୟକ ମାଙ୍ଗାନିଜ ଖଣିକୁ ସରକାରଙ୍କୁ ହସ୍ତାନ୍ତର କରି ଦେଇଥିଲେ । କିନ୍ତୁ ଲୁହା ଖଣିର ଲିଜ ନିଜ ହାତରେ ରଖିଥିଲେ । ଲୁହା ଖଣିର ଲିଜ ପାଇଁ 1988ରେ ଆବେଦନ କରିଥିଲେ ହେଲେ ଜଙ୍ଗଲ ଅଞ୍ଚଳ ଯୋଗୁଁ ଜଙ୍ଗଲ ବିଭାଗ କ୍ଲିଅରାନ୍ସ ଦେଇ ନଥିବାରୁ ତାଙ୍କୁ ରିନ୍ୟୁଆଲ ହୋଇନଥିଲା ।
ହେଲେ ଖଣି ନିୟମ ୨୪(A) ଅନୁଯାୟୀ ତାଙ୍କୁ ଆହୁରି 1ବର୍ଷ ଅନୁମତି ଦିଆ ଯାଇଥିଲା । ପରେ ଜିତୁ ପଟ୍ଟନାୟକ ତାଙ୍କ ବାପା ବଂଶୀଧର ପଟ୍ଟନାୟକଙ୍କ ନାମରେ ଲିଜ ଅବଧି ବଢାଇବା ପାଇଁ ଆବେଦନ କରିଥିଲେ । କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟର ବିନା ଅନୁମତିରେ ରାଜ୍ୟ ସରକାର ତାଙ୍କୁ 1994 ପର୍ଯ୍ୟନ୍ତ ପର୍ଯ୍ୟାୟ କ୍ରମେ ଲିଜ ଦେଇଥିଲେ । ପରବର୍ତ୍ତୀ ସମୟରେ ଜିତୁ ପଟ୍ଟନାୟକ ଅନେକ ଜାଲ୍ ଦସ୍ତାବିଜ ଦେଇ 20ବର୍ଷ ଲିଜ ପାଇଁ ଆବେଦନ କରି ବେଆଇନ ଖଣି ଖନନ କରି ଆସୁଥିଲେ ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ