ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଉପଦେଷ୍ଟା ତଥା ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ୍ ତ୍ରିପାଠୀ ନିର୍ମାଣାଧୀନ ବିଜୁ ଏକ୍ସପ୍ରେସ ଓ୍ବେ ସଡକ ପଥ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଏହା ସହ ସେ ପଶ୍ଚିମ ଓଡିଶାର ସଂପୃକ୍ତ ବିଭିନ୍ନ ଜିଲ୍ଲାରେ ଅର୍ଥନୈତିକ କରିଡର ସୃଷ୍ଟି ହେବା ସମ୍ପର୍କରେ ମଧ୍ୟ କାର୍ଯ୍ୟ ଅଗ୍ରଗତିର ସମୀକ୍ଷା କରିଛନ୍ତି । 2023 ମାର୍ଚ୍ଚ ମାସ ସୁଦ୍ଧା ଏହି ବୃହତ ସଡ଼କ ସଂପୂର୍ଣ୍ଣ ହେବାକୁ ଲକ୍ଷ୍ୟ ରଖାଯାଇଥିବା ସେ ସୂଚନା ଦେଇଛନ୍ତି ।
ବରଗଡ ଜିଲ୍ଲାର ସୋହେଲା, ପଦମପୁର ଓ ପାଇକମାଲ ଦେଇ ନୂଆପଡାର ସିନାପାଲି ଓ କଳାହାଣ୍ଡିର ଗୋଳାମୁଣ୍ଡା ଦେଇ 4 ଲେନ୍ ବିଶିଷ୍ଟ ବିଜୁ ଏକ୍ସପ୍ରେସ ଓ୍ବେ ନିର୍ମାଣାଧୀନ ରହିଛି । ଏ ସମସ୍ତ ସ୍ଥାନ ଦେଇ ଅର୍ଥନୈତିକ କରିଡର ସୃଷ୍ଟି ହେବ । ଏଥିପାଇଁ 11ଟି ଶିଳ୍ପ ସଂସ୍ଥା ଉଦ୍ୟୋଗ ସ୍ଥାପନ ପାଇଁ ସହମତି ପ୍ରକାଶ କରିଛନ୍ତି । ଏଥିନେଇ ଟେଣ୍ଡର ପ୍ରକ୍ରିୟା ସରିଛି । ଏହି ଅର୍ଥନୈତିକ କରିଡର ପାଇଁ ବରଗଡ଼ରେ କେତେକ ସ୍ଥାନ ବ୍ୟତୀତ ଅନ୍ୟ ସବୁ ସ୍ଥାନରେ ଜମି ଅଧିଗ୍ରହଣ ଶେଷ ହୋଇଛି ।
ବିଜୁ ଏକ୍ସପ୍ରେସ ୱେ ଏବଂ ରେଳ ସଂଯୋଗୀ କରୁଥିବା ନୂଆପଡାର ଖରିଆର, କଳାହାଣ୍ଡିର ଜୁନାଗଡ, ବରଗଡର ପଦମପୁର ଭଳି ଛୋଟ ଛୋଟ ସହରରେ ଶିଳ୍ପୋଦ୍ୟୋଗ ସ୍ଥାପନକୁ ଗୁରୁତ୍ବ ଦିଆଯିବ । ଜିଲ୍ଲା ଇନଭେଷ୍ଟମେଣ୍ଟ ସଂସ୍ଥା(ଦିପା) ଏହାର କାର୍ଯ୍ୟ ଜାରି ରଖିଛି । ପରବର୍ତ୍ତୀ ସମୟରେ ‘ଦିପା’ ଏହାର କାର୍ଯ୍ୟ ପରିସର ଖୋର୍ଦ୍ଧା, କଟକ, ବଲାଙ୍ଗୀର ଓ କୋରାପୁଟ ଜିଲ୍ଲାକୁ ସଂପ୍ରସାରିତ କରିବ ।
ବଡ ବଡ ଶିଳ୍ପ ସଂସ୍ଥା, ଅଣୁ, ମଧ୍ୟମ ଓ କ୍ଷୁଦ୍ର ଉଦ୍ୟୋଗୀଙ୍କୁ ଆକର୍ଷଣ କରିବା ପାଇଁ ବ୍ୟବସ୍ଥା କରାଯିବ । ଏହି ଉଦ୍ଦେଶ୍ୟରେ ଜୁଲାଇ ପ୍ରଥମ ବା ଦ୍ବିତୀୟ ସପ୍ତାହରେ ସମ୍ବଲପୁର କିମ୍ବା ଝାରସୁଗୁଡାରେ ମେକ୍ ଇନ୍ ଓଡିଶା ଆନୁକୂଲ୍ୟରେ ‘ଆଡଭାଣ୍ଟେଜ୍’ ଅନୁଗୋଳ ପରି କାର୍ଯ୍ୟକ୍ରମ କରିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି । ବୈଠକରେ ପୂର୍ତ୍ତ, ଶିଳ୍ପ, MSME ବିଭାଗ ଓ ଇପିକଲ ଆଦି ସଂସ୍ଥାର ଉଚ୍ଚ କର୍ତ୍ତୃପକ୍ଷ ଉପସ୍ଥିତ ଥିଲେ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ