ଭୁବନେଶ୍ବର: ଆସନ୍ତା ସେପ୍ଟେମ୍ବର ୧ରୁ ଖୋଲିବ ଭୁବନେଶ୍ବରସ୍ଥିତ ଲିଙ୍ଗରାଜ ମନ୍ଦିର । ଆଡକଟା ପାଖରୁ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିବେ ଭକ୍ତ । ଦର୍ଶନ ସମୟରେ ସାନିଟାଇଜ ଓ ମାସ୍କ ପରିଧାନକୁ ଗୁରୁତ୍ବ ଦିଆଯିବ । ତେବେ ଯେଉଁମାନେ ଡବଲ୍ ଡୋଜ ଟିକା ନେଇଥିବେ ସେମାନେ ହିଁ ମନ୍ଦିର ଭିତରକୁ ପ୍ରବେଶ କରିପାରିବେ । ଅର୍ଥାତ୍ ପ୍ରଭୁଙ୍କ ଦର୍ଶନ ପାଇଁ ଟିକା ପ୍ରମାଣପତ୍ର ବାଧ୍ୟତାମୂଳକ ।
ଏଥିସହ ମନ୍ଦିର ପରିସରରେ ଗହଳି କରିବା ଓ ପାନ ଖାଇବା ଉପରେ ନିଷେଦ୍ଧାଦେଶ ଜାରି କରାଯାଇଛି । ଏକାସାଙ୍ଗରେ ୧୦୦ ଜଣରୁ ଅଧିକ ଲୋକ ପ୍ରବେଶ କରିପାରିବେନି । ମନ୍ଦିର ଭିତରକୁ ଯିବା ପୂର୍ବରୁ ସମସ୍ତଙ୍କର ସ୍କ୍ରିନିଂ କରାଯିବ । ଜନସାଧାରଣଙ୍କ ଉପରେ ସ୍ବତନ୍ତ୍ର ନଜର ରଖିବ ପୋଲିସ ଓ ମନ୍ଦିର ପ୍ରଶାସନ । ମନ୍ଦିର ଖୋଲିବା ପୂର୍ବରୁ ଏହାର ପରିସରକୁ ସମ୍ପୂର୍ଣ୍ଣ ସାନିଟାଇଜ କରାଯିବ । ଏନେଇ ନୂଆ SOP ଜାରି କରାଯାଇଥିବାବେଳେ BMCର ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ ଏହି ସୂଚନା ଦେଇଛନ୍ତି ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ