ଭୁବନେଶ୍ବର: ଆସନ୍ତାକାଲି ମହାପ୍ରଭୁଙ୍କ ବାହୁଡାଯାତ୍ରା । ଏହି ପରିପ୍ରେକ୍ଷୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ସମସ୍ତ ନୀତିର ସିଧାପ୍ରସାରଣ କରିବ ଦୂରଦର୍ଶନ । ଏପରିକି ମହାପ୍ରଭୁଙ୍କ ସୁନାବେଶ ଓ ନୀଳାଦ୍ରି ବିଜେ ନୀତିର ମଧ୍ୟ ସିଧାପ୍ରସାରଣ ହେବ ।
ବିଶ୍ବପ୍ରସିଦ୍ଧ ଏହି ଯାତ୍ରାକୁ ବିଗତ ବର୍ଷ ମାନଙ୍କରେ ପ୍ରଚାର ଓ ପ୍ରସାର ପାଇଁ ଦେଶ ବିଦେଶରୁ ଏକାଧିକ ମିଡିଆ ଆସୁଥିବାବେଳେ ଚଳିତ ବର୍ଷ ଏଥିରେ ରୋକ ଲାଗିଛି । ଫଳରେ ଦେଶ ସହିତ ବିଦେଶରେ ଏହାର ପ୍ରଚାର ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଦୂରଦର୍ଶନକୁ ଯୋଗାଯୋଗ କରାଯାଇଥିଲା । ପରେ ଖୁବ କମ ସମୟ ମଧ୍ୟରେ ଗତ 23 ତାରିଖରେ ଶ୍ରୀଗୁଣ୍ଡିଚା ଯାତ୍ରାର ସିଧା ପ୍ରସାରଣ ଏହି ଦାୟିତ୍ବ ନିର୍ବାହ କରିଛି ଦୂରଦର୍ଶନ ।
ସେହିଭଳି ବୁଧବାର ହେବାକୁ ଥିବା ମହାପ୍ରଭୁଙ୍କ ବାହୁଡା ଯାତ୍ରା ପରେ ଅନ୍ୟାନ୍ୟ ନୀତି ଯଥା ସୁନାବେଶ, ଅଧରପଣା ଓ ନିଳାଦ୍ରୀ ବିଜେର ସିଧା ପ୍ରସାରଣ ପାଇଁ ସବୁ ପ୍ରକାର ପ୍ରସ୍ତୁତି ଜାରି ରହିଥିବା ମଙ୍ଗଳବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ବର ଦୂରଦର୍ଶନ କେନ୍ଦ୍ରର ପ୍ରୋଗ୍ରାମ ମୁଖ୍ୟ ଦୀପ୍ତି ମିଶ୍ର ପ୍ରକାଶ କରିଛନ୍ତି । ଏହା ସହିତ ଏହି ସମୟରେ ପୁରୁଷୋତ୍ତମ କ୍ଷେତ୍ରରେ ଥିବା ଅନ୍ୟାନ୍ୟ ଦେବ ପୀଠର ମାହାତ୍ମ୍ୟ, ଗବେଷକଙ୍କ ଜଗନ୍ନାଥ ସଂସ୍କୃତି ଉପରେ ମତାମତ, ଗଜପତି ମହାରାଜଙ୍କ ସହିତ ସ୍ବତନ୍ତ୍ର ସାକ୍ଷାତକାର ଏବଂ ଜଗନ୍ନାଥ ସଂସ୍କୃତି ସମ୍ବନ୍ଧୀୟ ସଙ୍ଗୀତ ରୂପକ କାର୍ଯ୍ୟକ୍ରମ, ପ୍ରାମାଣିକ ଚିତ୍ର ଆଦିର ପ୍ରସାରଣ କରାଯିବ ବୋଲି ସେ କହିଛନ୍ତି । ଯାହାକୁ ଅନ୍ୟ ବୈଦ୍ୟୁତିକ ଓ ୱେବ ମିଡିଆ ବିନା ଦେୟରେ ନିଜ ମାଧ୍ୟମରେ ପ୍ରସାରିତ କରିପାରିବେ ବୋଲି ସେ ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟ ପାଇଁ ପାଖାପାଖି 50 ଜଣ ଟେକ୍ନିସିଆନ ଲାଗି ଥିବାବେଳେ 12ଟି କ୍ୟାମେରା, ଡ୍ରୋନ ଓ ଜିମି ଆଦିର ବ୍ୟବହାର କରାଯାଉଥିବା କହିଛନ୍ତି ଷ୍ଟେସନ ହେଡ ଧ୍ରୁବ ନନ୍ଦ। ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ