ଭୁବନେଶ୍ବର: ଚଳିତ ମାସରେ ରାଜ୍ୟରେ ଡେଙ୍ଗୁ ଅକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାକୁ ଲାଗିଛି | ବର୍ତମାନ ସୁଦ୍ଧା ରାଜ୍ୟରେ 614 ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବିଏମସି ଅଞ୍ଚଳରୁ ସର୍ବାଧିକ 482 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହଭଳି କଟକରୁ 31ଟି ମାମଲା ଚିହ୍ନଟ ହୋଇଛି ।
ଭୁବନେଶ୍ୱର 3ଟି ସ୍ଥାନରେ ମାଗଣା ଡେଙ୍ଗୁ ପରୀକ୍ଷା ପାଇଁ ବ୍ୟବସ୍ଥା କରାଯାଇଛି । ଡେଙ୍ଗୁକୁ କିଭଳି ନିୟନ୍ତ୍ରଣ କରାଯିବ ତାହାକୁ ନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି।
ସରକାର ପକ୍ଷରୁ ଯେଉଁ ସ୍ଥାନରେ ଡେଙ୍ଗୁ ଟେଷ୍ଟିଂ ପାଇଁ ବ୍ୟବସ୍ଥା କରାଯାଇଛି ସେଇଠି ଟେଷ୍ଟିଂ କରାଇବାକୁ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ପରାମର୍ଶ ଦେଇଛନ୍ତି । ଘରୋଇ ଟେଷ୍ଟିଂ ସେଣ୍ଟରରେ ପରୀକ୍ଷା କରାଇବାକୁ ବାରଣ କରାଯାଇଛି । କୌଣସି ପରିସ୍ଥିତିରେ ଯଦି ପ୍ରାଇଭେଟ ଲ୍ୟାବରେ ଲୋକ ପରୀକ୍ଷା କରାଉଛନ୍ତି ଓ ପଜିଟିଭ ଆସିବାା ପରେ ଡେଙ୍ଗୁରେ ମୃତ୍ୟୁ ବରଣ କଲେ ତାହା ସ୍ୱାସ୍ଥ୍ୟ ବିଭାଗକୁ ଜଣାଇବାକୁ ଆବଶ୍ୟକ । ଏହି ରୋଗରେ ମୃତ୍ୟୁ ପ୍ରତିଶତ ୧ ପ୍ରତିଶତରୁ କମ ରହିଛି । କେବଳ ଗୁରୁତର ଲୋକେ ମେଡ଼ିକାଲରେ ଭର୍ତ୍ତି ହେବା ଆବଶ୍ୟକ ।
ଏଥିପାଇଁ ଲୋକେ ଭୟଭୀତ ନହେବା ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ । ସରକାରୀ ସ୍ତରରେ ମଧ୍ୟ ଏହି ରୋଗର ନିୟନ୍ତ୍ରଣ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଉଛି। ବିଏମସି ଅଞ୍ଚଳରେ ଏହାର ନିରାକାରଣ ପାଇଁ ଅଧିକ ସ୍ୱାସ୍ଥ୍ୟକର୍ମୀ ନିଯୁକ୍ତି ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏଥିପାଇଁ ଲୋକେ ପ୍ରଥମେ ସଚେତନ ହେବା ସହ ନିଜ ଆଖପାଖ ଅଞ୍ଚଳ ସଫା ରଖିବାକୁୁ ପରାମର୍ଶ ଦିଆଯାଇଛି । ଡେଙ୍ଗୁ ପାଇଁ ସ୍ୱତନ୍ତ୍ର ଶଯ୍ୟା ରଖିବା ନିମନ୍ତେ ସମସ୍ତ ମେଡିକାଲ କଲେଜ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ପର୍ଯ୍ୟାପ୍ତ ପରିମାଣରେ ମେଡ଼ିସିନ ରାଜ୍ୟରେ ମହଜୁଦ ଅଛି। ଏହା ସହ ଟେଷ୍ଟିଂ କିଟ୍ ମଧ୍ୟ ମହଜୁଦ ରହିଛି । ଡେଙ୍ଗୁରେ ଆକ୍ରାନ୍ତ ହେଲେ ଆତଙ୍କିତ ନହେବାକୁ ପରାମର୍ଶ ଦିଆଯାଇଛି ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ