ଭୁବନେଶ୍ବର: କୋରୋନା ଭୂତାଣୁ ବିରୋଧରେ ଭାରତର ନିରବିଛିନ୍ନ ସଂଘର୍ଷ । ମହାମାରୀର ମରଣଯନ୍ତା ଭିତରେ ଛଟପଟ ମଣିଷର ପ୍ରାଣବାୟୁ । ଅମ୍ଳଜାନ ପାଇଁ ଚାରିଆଡେ ହାହାକାର । ଅଦୃଶ୍ୟ ଶତ୍ରୃକୁ ମାତ ଦେବାକୁ ଚାଲିଛି ମହାଯୁଦ୍ଧ । ରଣଭୂମିରେ ଏବେ ସେନାପତି ସାଜି ଛିଡା ହୋଇଛି ଓଡିଶା । ମହାମାରୀ କୋରୋନା ପ୍ରକୋପରେ ଅଣନିଶ୍ବାସୀ ଦେଶବାସୀଙ୍କ ନିଶ୍ବାସ ପାଲଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଉ ଏହି ନିଶ୍ବାସ ପଛରେ ରହିଛି ରାଜ୍ୟବାସୀଙ୍କ ଆକୁଣ୍ଠ ସମର୍ଥନ ।
ମହାମାରୀ ଦ୍ବିତୀୟ ଲହରୀ ମାଡରେ ଦୋହଲିଛି ଦେଶ । ବ୍ୟବସ୍ଥାର ପାଦ ତଳୁ ଖସୁଛି ମାଟି । ଗୋଟିଏ ପକ୍ଷେ ବେକାବୁ କୋରୋନାର ଭୟାବହ ସ୍ଥିତି ଆଉ ଅନ୍ୟପକ୍ଷେ ଦେଶରେ ଅମ୍ଳଜାନର ସଙ୍କଟ । ଫେଲ୍ ମାରିଛି ବଡବଡ ରାଜ୍ୟଗୁଡିକର ରଣନୀତି । କୋରୋନାର ଭୟାବହତା ମଧ୍ୟରେ ଅମ୍ଳଜାନର ଅଭାବ ଯୋଗୁଁ ଯେତେବେଳେ ରାଜ୍ୟଗୁଡିକର ଅସହାୟତା ଜଳଜଳ କରି ଦେଖାଯାଉଛି, ସେତେବେଳେ ଅଟକିଥିବା ଦେଶର ପ୍ରଶ୍ବାସକୁ ଓଡିଶା ଯୋଗାଉଛି ଅକ୍ସିଜେନ ବୁଷ୍ଟର । ଆଉ ଏହି ଯୁଦ୍ଧର ମଙ୍ଗ ଧରିଛନ୍ତି ଖୋଦ ରାଜ୍ୟର ମୁଖିଆ ନବୀନ ପଟ୍ଟନାୟକ । ସଙ୍କଟର ଘଡିରେ ସହଯୋଗର ହାତ ବଢାଇ ନବୀନ ପାଲଟିଯାଇଛନ୍ତି ରାଷ୍ଟ୍ରନାୟକ ।
କୋରୋନା ସୁନାମୀରେ ଉବୁଟୁବୁ ହୋଇ ଯେତେବେଳେ ଦେଶବାସୀ ଅଣନିଶ୍ବାସୀ ହେଉଥିଲେ ସେତେବେଳେ ସେମାନଙ୍କୁ ଅମ୍ଳଜାନ ଯୋଗାଇବାକୁ ଅଣ୍ଟା ଭିଡିଥିଲା ଓଡିଶା । ଅକ୍ସିଜେନ ଅଭାବ ଥିବା ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଫୋନ କରି କଥା ହୋଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଉ ଏହାପରେ ଆରମ୍ଭ ହୋଇଥିଲା ଅକ୍ସିଜେନ ଯୋଗାଣର ମାଷ୍ଟରପ୍ଲାନ । ଶିଳ୍ପକୁ ଅକ୍ସିଜେନ ଉତ୍ପାଦନର ନିର୍ଦ୍ଦେଶ ଦେବା ସହିତ ଏହି କାର୍ଯ୍ୟକୁ ବ୍ୟକ୍ତିଗତ ଭାବେ ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ । 72 ଘଣ୍ଟା ଭିତରେ ଓଡିଶାରୁ ବାହାର ରାଜ୍ୟକୁ ପଠାଯାଇଛି ୪୯ଟି ଅକ୍ସିଜେନ ଟ୍ୟାଙ୍କର । ପାଖାପାଖି 500ରୁ ଉର୍ଦ୍ଧ୍ବ ମେଟ୍ରିକ ଟନ ଅକ୍ସିଜେନ ଯୋଗାଇ ସାରିଲାଣି ଓଡିଶା । ରାଉଲକେଲା, ଯାଜପୁର, ଅନୁଗୋଳ ଆଦି ବିଭିନ୍ନ ପ୍ଲାଣ୍ଟରୁ ଏହି ଟ୍ୟାଙ୍କର ଯୋଗାଣ କରାଯାଉଛି ।
ପ୍ରାକୃତିକ ବିପର୍ଯ୍ୟୟ ହେଉ କି ମହାମାରୀ, ନବୀନଙ୍କ ଡିଜାଷ୍ଟର ମ୍ୟାନେଜମେଣ୍ଟ ସବୁବେଳେ ଓଡିଶାକୁ ଆତ୍ମବିଶ୍ବାସର ସହିତ ବିପଦର ସାମ୍ନା କରିବାକୁ ଯୋଗାଇ ଆସିଛି ସାହାସ । ପଛୁଆ ରାଜ୍ୟ ବୋଲାଉଥିବା ଓଡିଶା ଆଜି ଦେଶବାସୀଙ୍କୁ ଯୋଗାଉଛି ସଞ୍ଜିବନୀ । ଅଭାବ ଭିତରେ ସଂଘର୍ଷ କରି ଆସିଥିବା ଓଡିଶା ଏବେ ଆତ୍ମ ନିର୍ଭରଶୀଳତାର ପାଲଟିଛି ଉଦାହରଣ । କାହିଁକି କ୍ରାଇସିସ ମ୍ୟାନେଜମେଣ୍ଟରେ ଆଗରେ ରହିଛି ଓଡିଶା ? ସଙ୍କଟ ସମୟରେ ନବୀନଙ୍କ ମାଷ୍ଟରପ୍ଲାନ କିଭଳି ବିପଦ ସହ ମୁକାବିଲା କରିବାକୁ ଓଡିଶାକୁ ଯୋଗାଉଛି ବଳ ? ଏହି ସବୁ ପ୍ରଶ୍ନର ଉତ୍ତର ଖୋଜିବା ପାଇଁ ଲେଉଟାଇବାକୁ ପଡିବ ବିଗତ ଦିନରେ ଓଡିଶା ସାମ୍ନା କରିଥିବା ବିପର୍ଯ୍ୟୟର ପୃଷ୍ଠା । ଆଉ ବୁଝିବାକୁ ପଡିବ ନବୀନଙ୍କ ରଣନୀତି ।
2020 ମାର୍ଚ୍ଚ 13, ୟେସ ବ୍ୟାଙ୍କ୍ରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରର ଟଙ୍କାକୁ ନେଇ ବିଧାନସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଘେରିବାକୁ ବିରୋଧୀ ଚଳାଇଥିଲେ ପ୍ରସ୍ତୁତି । ସେତେବେଳକୁ କାୟା ବିସ୍ତାର କରୁଥିଲା ମହାମାରୀ କୋରୋନା । ବିରୋଧୀଙ୍କ ରଣନୀତିକୁ ଚେକ୍ ଦେଇ କୋରୋନା ବିରୋଧରେ ନବୀନ ନେଇଥିଲେ ବଡ ନିଷ୍ପତ୍ତି । COVID-19 ଦିନର ମୂଳ ପ୍ରସଙ୍ଗ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡିଜାଷ୍ଟର ମ୍ୟାନେଜମେଣ୍ଟ ଆକ୍ଟ ୨୦୦୫ ଆଧାରରେ କୋରୋନାକୁ ରାଜ୍ୟ ବିପତ୍ତି ଭାବେ ଘୋଷଣା କରିଥିଲେ । ଏହି ବିପତ୍ତିର ସାମ୍ନା କରିବା ପାଇଁ ପ୍ରାୟ ୨୦୦ କୋଟି ଟଙ୍କା ମଞ୍ଜୁର କରିଥିଲେ ରାଜ୍ୟ ସରକାର । ସମସ୍ୟାର ମୁକାବିଲା ପାଇଁ ରାଜ୍ୟବାସୀଙ୍କ ସହଯୋଗ ଲୋଡ଼ିଥିଲେ ମୁଖ୍ୟମନ୍ତ୍ରୀ । ଆଉ ଏହାପରେ ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ ବିଧାନସଭାକୁ ସ୍ଥଗିତ ରଖାଯାଇଥିଲା ।
କୋରୋନାକୁ ରୋକିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ରାଜ୍ୟ ସରକାର 3 ମାର୍ଚ୍ଚ 2020ରେ ପ୍ରାରମ୍ଭିକ ପଦକ୍ଷେପ ନେଇଥିଲେ । ବିଦେଶରୁ ଓଡିଶାକୁ ଆସୁଥିବା ସମସ୍ତଙ୍କୁ ୱେବ୍ ପୋର୍ଟାଲରେ ପଞ୍ଜୀକରଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ ସରକାର । 14 ଦିନ କ୍ବାରେଣ୍ଟାଇନ ରହି ଆବଶ୍ୟକୀୟ ଖର୍ଚ୍ଚ ଦେବାକୁ ପ୍ରତିଶ୍ରୃତି ଦେଇଥିଲେ । ନବୀନଙ୍କ ଏହି ପ୍ରତିଶ୍ରୃତିରେ ବିଶ୍ବାସ ରଖି ଅନେକ ପ୍ରବାସୀ ଓଡିଆ ନିଜ ରାଜ୍ୟକୁ ଫେରିଆସି ସଙ୍ଗରୋଧରେ ରହିଥିଲେ ।
ଦେଶରେ ଲକଡାଉନର ଘୋଷଣା ପୂର୍ବରୁ ଓଡିଶାର 5 ଜିଲ୍ଲା ଓ 8 ସହରରେ ଲାଗିଯାଇଥିଲା କଟକଣା । କେବଳ ଜରୁରୀ ସେବାକୁ ଛାଡି ଆଉ ସବୁଠି ଝୁଲିଥିଲା ତାଲା । ରାଜ୍ୟରେ କୋରୋନାର ପାଦ ଥାପିବା ପୂର୍ବରୁ ସରକାରଙ୍କ ଏହି ପଦକ୍ଷେପ କେତେକାଂଶରେ ସଂକ୍ରମଣ ରୋକିବାକୁ ସହାୟକ ହୋଇଥିଲା ।
ଓଡିଶାରେ ସେତେବେଳେ କୋରୋନାର 3ଟି ମାମଲା ସାମ୍ନାକୁ ଆସିଥିଲା । ସମସ୍ତେ ଭୁବନେଶ୍ୱରର ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । 26 ମାର୍ଚ୍ଚସୁଦ୍ଧା ରାଜ୍ୟରେ 166ଟି ନମୁନା ହୋଇଥିଲା ପରୀକ୍ଷା । ଆଉ ଏହାରି ମଧ୍ୟରେ ରାଜ୍ୟ ସରକାର ଭୁବନେଶ୍ୱରରେ 1000 ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲେ । ଖୁବ ଅଳ୍ପଦିନ ଭିତରେ କୋଭିଡ ରୋଗୀଙ୍କ ପାଇଁ ପ୍ରସ୍ତୁତ ହୋଇସାରିଥିଲା ସ୍ବତନ୍ତ୍ର ମେଡିକାଲ । KIIMS ମେଡିକାଲ କଲେଜର ମେଡିସିନ୍ ବ୍ଲକ୍ରେ ଏକ 450 ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ନିର୍ମାଣ କରାଯିବା ସହିତ ସହିତ ସମ ହସ୍ପିଟାଲରେ 550 ଶଯ୍ୟା ବ୍ୟବସ୍ଥା ହୋଇଥିଲା । ଉଭୟ ସ୍ଥାନରେ 24 ଘଣ୍ଟା କୋଭିଡ ରୋଗୀଙ୍କୁ ଯୋଗାଇଦିଆଯାଇଥିଲା ଚିକିତ୍ସା । ଆଉ ସେବେଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ କୋଭିଡ ବିରୋଧରେ କ୍ରମାଗତ ଯୁଦ୍ଧ ଲଢିଆସୁଛି ଓଡିଶା । ଆଉ ଏବେ ରାଜ୍ୟବାସୀଙ୍କୁ ମାଗଣା ଟିକା ବଣ୍ଟନ ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟର ସବୁ ୧୮ ବର୍ଷରୁ ଊର୍ଦ୍ଧ୍ବ ବୟସ୍କଙ୍କୁ ଦିଆଯିବ ମାଗଣା ଟିକା । ଏଥିପାଇଁ ରାଜ୍ୟ ସରକାର ୨ ହଜାର କୋଟି ଟଙ୍କାର ପାଣ୍ଠି ଘୋଷଣା କରିଛନ୍ତି । ଆଉ ଏଥିରେ ଉପକୃତ ହେବେ ୨ କୋଟି ରାଜ୍ୟବାସୀ । ଜଗନ୍ନାଥଙ୍କ ଆଶୀର୍ବାଦରୁ ରାଜ୍ୟ ଏ ମହାସଂକଟରୁ ଖୁବ୍ ଶୀଘ୍ର ମୁକୁଳିବ ବୋଲି କହିଛନ୍ତି ନବୀନ ।
କେବଳ ମହାମାରୀ ନୁହେଁ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିବାରେ ସିଦ୍ଧହସ୍ତ ନବୀନ । ଜଣେ ଶ୍ରେଷ୍ଠ ପ୍ରଶାସକ ହେବା ସହିତ ବିପର୍ଯ୍ୟୟ ପରିଚାଳନାକୁ ନେଇ ନବୀନ ଏବେ ଦେଶ ବିଦେଶରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିସାରିଛନ୍ତି । ଦୁଇ ଦଶନ୍ଧି ପୂର୍ବରୁ ଓଡିଶାର ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ବ ଗ୍ରହଣ କରିବା ପରଠାରୁ ରାଜ୍ୟ ଆନେକ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରିସାରିଛି । 2019ରେ ଫନୀ ବାତ୍ୟା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଜିରୋ କାଜୁଆଲିଟିର ଘୋଷଣାକୁ ସୁନିଶ୍ଚିତ କରିବା ପାଇଁ ଅନେକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତିରୀତ କରାଯାଇଥିଲା । ଫଳସ୍ୱରୂପ ଏହି ବାତ୍ୟାରେ ସେତେଟା ବଡ କ୍ଷତି ସହି ନଥିଲା ଓଡିଶା । ଏପରିକି ସଙ୍କଟ ସମୟରେ ମୁକାବିଲାକୁ ନେଇ ଓଡିଶା ସରକାରଙ୍କୁ ବେଶ ପ୍ରଶଂସା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଆଜିବି ଭୁଲି ହୁଏନି 1999 ମସିହା ମହାବାତ୍ୟାର ସେ କଷ୍ଟ ଆଉ ଯନ୍ତ୍ରଣାର ଦିନ । ଧ୍ବଂସର ତାଣ୍ଡବଳୀଳା ସାଙ୍ଗକୁ କୁଢ କୁଢ ମୃତ ଦେହ । ଏହାରି ମଧ୍ୟରେ ଦେହକୁ ଖଣ୍ଡିଏ କନା ଆଉ ପେଟକୁ ମୁଠାଏ ଖାଦ୍ୟ ଯୋଗାଇବା ମଧ୍ୟ ସରକାରଙ୍କ ପାଇଁ ଥିଲା ବଡ ଚ୍ୟାଲେଞ୍ଜ । ଆକାଶ ମାର୍ଗରୁ ରିଲିଫ ଖାଦ୍ୟକୁ ଚାହିଁ ରହିଥିଲେ ଓଡିଶାବାସୀ । ଅଣ୍ଟା ସଳଖି ଛିଡା ହେବାକୁ ଓଡିଶାକୁ ଲାଗିଥିଲା ଅନେକ ଦିନ । ଏବେ ସମୟ ବଦଳିଛି ହେଲେ ଚ୍ୟାଲେଞ୍ଜ କିନ୍ତୁ ସମାନ । ମାତ୍ର ଏହି ଚ୍ୟାଲେଞ୍ଜ ଆଗରେ ଭାଙ୍ଗିନପଡି ଧୈର୍ଯ୍ୟର ସହିତ ଏହାକୁ ସାମ୍ନା କରୁଛି ଓଡିଶା । ଆଉ ଅନ୍ୟରାଜ୍ୟ ପାଇଁ ପାଲଟିଛି ଆଶାର କେନ୍ଦ୍ରବିନ୍ଦୁ ।
ମହାମାରୀ କାଳରେ ଓଡିଶାର ପଦକ୍ଷେପ ଦେଶକୁ ଆତ୍ମନିର୍ଭର ହେବାର ସଙ୍କେତ ଦେଇଛି । ଭାରତର ପ୍ରଗତୀର ଦୃଷ୍ଟାନ୍ତମୂଳକ ଉଦାହରଣ ପାଲଟିଛି ଓଡିଶା । ଆଉ ଏହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଭାବୀ ନେତୃତ୍ବ ପାଇଁ ସମ୍ଭବ ବୋଲି କୁହାଯାଇପାରେ । ନବୀନଙ୍କ ବଦାନ୍ୟତା ଯେ ପଛୁଆ ରାଜ୍ୟର କଳଙ୍କକୁ ପୋଛି ବିଶ୍ବ ଦରବାରରେ ଓଡିଶାର ଛବିକୁ ଚମକାଇଛି ଏକଥାକୁ ଅସ୍ବୀକାର କରିହେବ ନାହିଁ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ