ଭୁବନେଶ୍ବର: ଆଦର୍ଶ ପର୍ଯ୍ୟଟନସ୍ଥଳୀ ତାଲିକାରେ ଶ୍ରୀମନ୍ଦିର ଓ କୋଣାର୍କକୁ ସାମିଲ କରିବାକୁ ଧର୍ମେନ୍ଦ୍ରଙ୍କ ଚିଠି । ଦେଶର ୧୭ଟି ଆଦର୍ଶ ପର୍ଯ୍ୟଟନସ୍ଥଳୀ ତାଲିକାରେ ପୁରୀ ଜଗନ୍ନାଥ ମନ୍ଦିର ଓ କୋଣାର୍କ ସୂର୍ଯ୍ୟ ମନ୍ଦିରକୁ ସାମିଲ କରିବାକୁ କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଏନେଇ କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ୨୦୧୯-୨୦ ଆର୍ଥିକ ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପର୍ଯ୍ୟଟନ ଶିଳ୍ପର ଅଭିବୃଦ୍ଧି ପାଇଁ ୧୭ଟି ପ୍ରତିଷ୍ଠିତ ପର୍ଯ୍ୟଟନ କ୍ଷେତ୍ରକୁ ବିକଶିତ କରାଯିବ ବୋଲି ଘୋଷଣା କରିଛନ୍ତି । କେନ୍ଦ୍ର ସରକାର ଏହି ୧୭ଟି କ୍ଷେତ୍ରକୁ ମଡେଲ ପର୍ଯ୍ୟଟନ କ୍ଷେତ୍ର ଭାବରେ ବିକଶିତ କରି ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରାଯିବାର ଯୋଜନା ରଖିଛନ୍ତି ।
ଓଡିଶାରେ କଳା, ଭାସ୍କର୍ଯ୍ୟ ତଥା ସଂସ୍କୃତି ଓ ପର୍ଯ୍ୟଟନର ଧାରା ପରିସ୍ଫୁଟ । ବିଶେଷତଃ ଶ୍ରୀକ୍ଷେତ୍ର ପୁରୀ ଓ କୋଣାର୍କର ସୂର୍ଯ୍ୟ ମନ୍ଦିର ଭଳି ପବିତ୍ରସ୍ଥଳୀ ପର୍ଯ୍ୟଟକ ମାନଙ୍କୁ ଆକର୍ଷିତ କରିଥାଏ । ହିନ୍ଦୁଙ୍କ ପବିତ୍ର ୪ ଧାମ ମଧ୍ୟରୁ ପୁରୀର ଜଗନ୍ନାଥ ମନ୍ଦିର ଅନ୍ୟତମ । ବିଶ୍ବପ୍ରସିଦ୍ଧ ରଥଯାତ୍ରା ମଧ୍ୟ ଏଠାରେ ଅନୁଷ୍ଠିତ ହୁଏ ବୋଲି ଧର୍ମେନ୍ଦ୍ର ନିଜ ଚିଠିରେ ଦର୍ଶାଇଛନ୍ତି ।
ସେହିପରି କୋଣାର୍କର ସୂର୍ଯ୍ୟମନ୍ଦିର ଓଡିଶାର କଳାକୃତିର ପରିଚୟ ଦିଏ ଏବଂ ଏହା ବିଶ୍ବସ୍ତରରେ ମାନ୍ୟତା ପାଇଛି । ଓଡିଶାର ସ୍ବର୍ଣ୍ଣ ତ୍ରିଭୁଜ ଭୁବନେଶ୍ବର, ପୁରୀ ଏବଂ କୋଣାର୍କ ମନ୍ଦିର ବିଶ୍ବର ଲକ୍ଷ ଲକ୍ଷ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କୁ ଆକର୍ଷିତ କରିଥାଏ ଓ ଓଡିଆ ସମାଜ-ସଂସ୍କୃତିର ପରିଚୟ ଦିଏ । ତେଣୁ ଏହାକୁ ଦୃଷ୍ଟିରେ ରଖି ପୁରୀ ଜଗନ୍ନାଥ ମନ୍ଦିର ଓ କୋଣାର୍କ ସୂର୍ଯ୍ୟ ମନ୍ଦିରକୁ ଆଦର୍ଶ ପର୍ଯ୍ୟଟନ ତାଲିକାରେ ସାମିଲ କରିବାକୁ ବ୍ୟକ୍ତିଗତ ଭାବେ ଧ୍ୟାନ ଦେବାକୁ ଧର୍ମେନ୍ଦ୍ର କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ