ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ଉପରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ କେବଳ ମୋଦିଙ୍କ ଉପରେ ଈର୍ଷାନ୍ବିତ ବକ୍ତବ୍ୟ । ନିଜ ଦୁର୍ବଳତାକୁ କେନ୍ଦ୍ର ସରକାରଙ୍କ ଅଣଦେଖା କହୁଛନ୍ତି ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ତିତଲି ପ୍ରସଙ୍ଗରେ ବକ୍ତବ୍ୟକୁ ନେଇ ସୋସିଆଲ ମିଡିଆରେ ଭିଡିଓ ମାଧ୍ୟମରେ ଏପରି ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଗତକାଲି ନବୀନ ବ୍ରହ୍ମପୁରରେ ନିର୍ବାଚନୀ ପ୍ରଚାର ଆରମ୍ଭ କରିଥିବାବେଳେ ଏହି ଅବସରରେ ତିତଲି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ । ତେବେ ଆଜି ଧର୍ମେନ୍ଦ୍ର ନବୀନଙ୍କୁ କଡା ଭାଷାରେ ଜବାବ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ବାତ୍ୟା ପରଦିନ ଗୋପାଳପୁର ସମୁଦ୍ରକୂଳରେ ନିଜ ଅଧିକାରୀଙ୍କୁ ଲଗାଇ ତିତଲିକୁ ନିୟନ୍ତ୍ରଣ କରିଦେଲେ ବୋଲି କହି ଉତ୍ସବ ମନାଉଥିଲେ । ହେଲେ ଗଜପତି ଜିଲ୍ଲାର ମହେନ୍ଦ୍ରଗିରି ପାହାଡ ତଳେ ବସବାସ କରୁଥିବା ଲୋକେ କ୍ଷତିଗ୍ରସ୍ତ ହୋଇଥିବା ସରକାରଙ୍କୁ ଜଣାନଥିଲା । ଗଣମାଧ୍ୟମର ସୂଚନା ପାଇ ବିଜେପି ସେହି ଅଞ୍ଚଳକୁ ପ୍ରଥମେ ଯାଇଥିଲା ବୋଲି ଧର୍ମେନ୍ଦ୍ର କହିଛନ୍ତି ।
କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ବାତ୍ୟା ତିତଲିରେ ବିଶେଷ କ୍ଷତିଗ୍ରସ୍ତ ଗଜପତି ଜିଲ୍ଲାର ଆର.ଉଦୟଗିରି ଅଞ୍ଚଳକୁ ସେ ଗତକାଲି ଯାଇଥିଲେ । ସେଠାରେ ଲୋକଙ୍କ ଅବସ୍ଥା ନକହିଲେ ନସରେ । ତିତଲି ପରର ଦୃଶ୍ୟ ପୂର୍ବ ପରି ରହିଛି । ବର୍ତ୍ତମାନ ସୁଦ୍ଧା ମଧ୍ୟ ସେହି ଅଞ୍ଚଳରେ ରାଜ୍ୟ ସରକାର ଘର, ରାସ୍ତା, ପିଇବା ପାଣି ସମସ୍ୟାର ସମାଧାନ କରିନାହାଁନ୍ତି । ଏନେଇ ଅଞ୍ଚଳର ଲୋକେ ତାଙ୍କୁ ଅଭିଯୋଗ କରିଥିବା ଧର୍ମେନ୍ଦ୍ର କହିଛନ୍ତି ।
ତିତଲିର ଅନେକ ଦିନ ପରେ ମଧ୍ୟ ସହାୟତା ପାଇଁ ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ପତ୍ର ମାଧ୍ୟମରେ ଜଣାଇନଥିଲେ । କେନ୍ଦ୍ରରୁ ମୁକାବିଲା ପାଇଁ ଅନେକ ଟଙ୍କା ଆସିଛି । ଟଙ୍କାର ଅଭାବ ନାହିଁ, ହେଲେ କ୍ରିୟାନ୍ବୟର ଅଭାବ ରହିଛି । ପୂର୍ବରୁ ପ୍ରାକୃତିକ ଦୁର୍ବିପାକ ସମୟରେ ଏନଡିଆରଏଫ୍ର ଟଙ୍କାର ୬୦ ପ୍ରତିଶତ କେନ୍ଦ୍ର ଦେଉଥିବାବେଳେ ରାଜ୍ୟକୁ ୪୦ ପ୍ରତିଶତ ଦେବାକୁ ପଡୁଥିଲା । ତେବେ ମୋଦିଙ୍କ ସମୟରେ ଏହି ଭାଗ ବଢାଯାଇ ୯୦ ପ୍ରତିଶତ କରାଯାଇଥିବାବେଳେ ଏବେ ରାଜ୍ୟକୁ ମାତ୍ର ୧୦ ପ୍ରତିଶତ ଦେବାକୁ ପଡୁଛି ।
ଫଳରେ ରାଜ୍ୟ ସରକାରଙ୍କ ଉପରେ କୌଣସି ଚାପ ନଥିବାବେଳେ ସରକାର ଟଙ୍କା ଖର୍ଚ୍ଚ କରୁନାହାଁନ୍ତି । ଅନେକ ଟଙ୍କା ରାଜ୍ୟ ସରକାରଙ୍କ ପାଖରେ ଥିବାବେଳେ ମଧ୍ୟ ଏନଡିଆରଏଫ୍ ଟଙ୍କା ଅଣତିତଲି ଅଞ୍ଚଳରେ ଖର୍ଚ୍ଚ ହେଉଥିବା ପ୍ରମାଣ ମିଳିଛି । ଯାଜପୁର ଜିଲ୍ଲାରେ କୋର୍ଟ ମାମଲାରେ ଏନଡିଆରଏଫ୍ ଟଙ୍କାକୁ ବନ୍ଦ କରାଯାଇଛି ବୋଲି ଧର୍ମେନ୍ଦ୍ର କହିଛନ୍ତି । ସେ ଆହୁରି କହିଛନ୍ତି ଯେ ତିତଲିରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ଆସ୍କା ଡିଭିଜନ ପାଣିରେ ବୁଡି ଯାଇଥିଲା । ତେବେ ଏଥିପାଇଁ କଣ ପ୍ରଧାନମନ୍ତ୍ରୀ ଦାୟୀ କି ବୋଲି ଧର୍ମେନ୍ଦ୍ର ପ୍ରଶ୍ନ କରିଛନ୍ତି ।
ଦୀର୍ଘ ୧୯ ବର୍ଷ ଶାସନ ଦାୟିତ୍ବରେ ରହି ଲମ୍ବା ସମୟ ଧରି ଜଳ ସମ୍ପଦ ବିଭାଗକୁ ନିଜ ଦାୟିତ୍ବରେ ରଖି ମୁଖ୍ୟମନ୍ତ୍ରୀ ନିଜ ଅପାରଗତା ଦେଖାଇଛନ୍ତି । ନିଜର ଦୁର୍ବଳତାକୁ ଲୁଚାଇବା ପାଇଁ କେନ୍ଦ୍ର ସରକାରଙ୍କୁ ବାହାନା ବନାଇଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଅଭିଯୋଗ କରିଛନ୍ତି । ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଈର୍ଷା କରି ଓଡିଶାରେ କେନ୍ଦ୍ରର କୌଣସି ଗରିବ କଲ୍ୟାଣ ଯୋଜନା ଲାଗୁ କରୁନାହାଁନ୍ତି ବୋଲି ଧର୍ମେନ୍ଦ୍ର କହିଛନ୍ତି ।
ଏଥର ନିର୍ବାଚନରେ ଜନଆକ୍ରୋଶ ସ୍ପଷ୍ଟ ଭାବେ ଦେଖାଗଲାଣି । ପରିବର୍ତ୍ତନର ପଦଧ୍ବନି ଜୋରରେ ଶୁଭିଲାଣି । ମୁଖ୍ୟମନ୍ତ୍ରୀ ସେହି ଭୟ ଓ ଡରରେ ରହି ନକଲି ଓଡିଆଙ୍କୁ ଧରି ସାଙ୍କେତିକ ପ୍ରଚାର କରୁଛନ୍ତି । ସମ୍ମୁଖ ସମର କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସାହସ ନାହିଁ । ଏଥର ଗଣତନ୍ତ୍ରରେ ସତ୍ୟର ବିଜୟ ହେବ । ଓଡିଶାରେ ନରେନ୍ଦ୍ର ମୋଦିଙ୍କ ଭଲ ପାଇବାର ଯେଉଁ ଲକ୍ଷଣ ଦେଖାଯାଇଛି, ତାହା ଭୋଟରେ ପରିବର୍ତ୍ତନ ହେବ । ଡବଲ ଇଞ୍ଜିନର ସରକାର ଲାଗିବ । କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ଗଢିବ ବୋଲି ଧର୍ମେନ୍ଦ୍ର ଦୃଢୋକ୍ତି ପ୍ରକାଶ କରିଛନ୍ତି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ