ଭୁବନେଶ୍ବର : ଓଡ଼ିଶାର ପୂର୍ବତଟରେ ବନ୍ଦର ଭିତ୍ତିକ ଶିଳ୍ପାୟନ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ଯୋଜନା ବର୍ତ୍ତମାନ ସାକାର ରୂପ ନେଉଛି । ପାରାଦ୍ବୀପ ବନ୍ଦର ସହିତ ଧାମରା ଏବଂ ଗୋପାଳପୁର ଗଭୀର ବନ୍ଦରର ଦ୍ରୁତ ବିକାଶ ଏ ଦିଗରେ ଅନେକ ନୂଆ ସମ୍ଭାବନା ସୃଷ୍ଟି କରିଛି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଏ ନେଇ ସୂଚନା ଦିଆଯାଇଛି ।
ବୈଠକରେ ଧାମରା ଏବଂ ଗୋପାଳପୁର ବନ୍ଦରର ଅଗ୍ରଗତି ଏବଂ ଧାମରାଠାରେ ବନ୍ଦର ଭିତ୍ତିକ ଶିଳ୍ପାଞ୍ଚଳ ପ୍ରତିଷ୍ଠା ବିଷୟରେ ସବିଶେଷ ଆଲୋଚନା ହୋଇଛି । ଲୋକସେବା ଭବନରେ ବସିଥିବା ବୈଠକରେ ବାଣିଜ୍ୟ ଓ ପରିବହନ ସଚିବ ମଧୁସୂଦନ ପାଢ଼ୀ ବନ୍ଦରର ବିକାଶ ଓ ସଂପ୍ରସାରଣ ସମ୍ବନ୍ଧିତ ସୂଚନା ଉପସ୍ଥାପନ କରିଥିଲେ । ଧାମରା ପୋର୍ଟ ପାଖାପାଖି ସରକାରୀ ଜମିକୁ ଜବରଦଖଲରୁ ମୁକ୍ତ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ବନ୍ଦର ପାଖାପାଖି ଶିଳ୍ପ ଉପଯୋଗୀ ସ୍ଥାନରେ ଜମି ଅଧଗ୍ରହଣ କରି ଶିଳ୍ପାଞ୍ଚଳ ନିମନ୍ତେ ଭିତ୍ତିଭୂମି ପ୍ରସ୍ତୁତ କରିବାକୁ ଇଡକୋର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ସଂଜୟ କୁମାର ସିଂଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ଧାମରା ପୋର୍ଟର ସଂପ୍ରସାରଣ, ରେଳ ଲାଇନ୍ ସଂଯୋଗ, ଏଲ୍.ଏନ୍.ଜି, ବ୍ୟାଙ୍କ ନିର୍ମାଣ, ଏୟାର ଷ୍ଟ୍ରିପ୍ ବିକାଶ ଆଦି କାର୍ଯ୍ୟ ତ୍ବରାନ୍ବିତ ହୋଇଥିବାରୁ ଏଠାରେ ବନ୍ଦର ଭିତ୍ତିକ ସହର ଏବଂ ଶିଳ୍ପାଞ୍ଚଳ ପ୍ରତିଷ୍ଠାର ସମ୍ଭାବନା ବୃଦ୍ଧି ପାଇଛି । ଏଥିପାଇଁ ମାଷ୍ଟରପ୍ଲାନ୍ ପ୍ରସ୍ତୁତ କରିବା ସହ ଉପଲବ୍ଧ ଜମିର ସୁରକ୍ଷା କରିବା ପାଇଁ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି । 2011 ରୁ 2020 ମସିହା ଭିତରେ ଧାମରା ବନ୍ଦରର ବର୍ଥ ସଂଖ୍ୟା 2 ରୁ 5କୁ ବୃଦ୍ଧି ପାଇଛି ।
ଏହି ବନ୍ଦରରୁ ଆମଦାନୀ ଓ ରପ୍ତାନୀ କାର୍ଯ୍ୟ ମଧ୍ୟ ଉତ୍ସାହଜନକ ଭାବେ ବୃଦ୍ଧି ପାଇଛି । 2011 ମସିହାରେ ବନ୍ଦରର ବାର୍ଷିକ ଦ୍ରବ୍ୟ କାରବାର 5 ନିୟୁତ ଟନ୍ ଥିବା ବେଳେ ଚଳିତ ଆର୍ଥିକ ବର୍ଷ ଫେବୃଆରୀ ଶେଷ ସୁଦ୍ଧା ଏହା 29.37 ନିୟୁତ ଟନରେ ପହଞ୍ଚିଛି । ଚଳିତ ଆର୍ଥିକ ବର୍ଷ ଶେଷସୁଦ୍ଧା ଏହା 30.5 ନିୟୁତ ଟନ୍ ଛୁଇଁବାର ଆଶା କରାଯାଉଛି । ଏହି ସମୟ ମଧ୍ୟରେ ଧାମରା ବନ୍ଦର ରାଜ୍ୟ ସରକାରଙ୍କୁ ପ୍ରାୟ 612 କୋଟି ଟଙ୍କାର ରାଜସ୍ୱ ଅଂଶ ଦେଇଛି । ଏହା ସହ ଗୋପାଳପୁର ବନ୍ଦର ବାବଦରେ ଆଲୋଚନା ବୈଠକରେ ଆଲୋଚନା ହୋଇଛି । 2014 ହୁଡ୍ହୁଡ୍ ବାତ୍ୟାରେ ବିଶେଷଭାବେ କ୍ଷତିଗ୍ରସ୍ତ ହୋଇଥିବା ଏହି ବନ୍ଦର 2015 ମସିହାରୁ ପୁନଶ୍ଚ କାରବାର ଆରମ୍ଭ କରିଛି । ଏହି ବନ୍ଦରର ରେଲୱେ ୟାର୍ଡ, ସାଇଡିଂ ଆଦିର କାର୍ଯ୍ୟ ତ୍ବରାନ୍ବିତ ହୋଇଛି ।
ବର୍ତ୍ତମାନ ଗୋପାଳପୁରର ବନ୍ଦର ବାର୍ଷିକ 5 ନିୟୁତ ଟନ୍ ଦ୍ରବ୍ୟ ରପ୍ତାନୀ ଓ ଆମଦାନୀ କରି କାରବାରୀ ଲାଭ ସ୍ଥିତି ହାସଲ କରିଛି । ବନ୍ଦରକୁ ସଂଲଗ୍ନ କରୁଥିବା ରାସ୍ତାର ପ୍ରଶସ୍ତିକରଣ, ବନ୍ଦର ସଂପ୍ରସାରଣ ନିମନ୍ତେ ଆବଶ୍ୟକୀୟ ଜମି, ଧାମରାରେ ଶିଳ୍ପାଞ୍ଚଳ ପ୍ରତିଷ୍ଠା, ବନ୍ଦର ସହ ଅର୍ଥନୈତିକ କରିଡର ପ୍ରତିଷ୍ଠା, ପ୍ରାକୃତିକ ପରିବେଶର ସନ୍ତୁଳନ ଆଦି ବିଷୟରେ ବୈଠକରେ ଆଲୋଚନା ହୋଇ ଥିବା ସମସ୍ୟାର ସମାଧାନର ବାଟ ବାହାର କରାଯାଇଛି ।
ବୈଠକରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜ କୁମାର ଶର୍ମା, ସ୍ୱତନ୍ତ୍ର ଶାସନ ସଚିବ ମନୋଜ କୁମାର ମିଶ୍ର, ଅର୍ଥ ସଚିବ ଅଶୋକ କୁମାର ମୀନାଙ୍କ ସମେତ ଧାମରା ଓ ଗୋପାଳପୁର ପୋର୍ଟ କର୍ତ୍ତୃପକ୍ଷ ଏବଂ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସଂପୃକ୍ତ ବିଭାଗର ପ୍ରମୁଖ ଶାସନ ସଚିବ, ଶାସନ ସଚିବ ଓ ବରିଷ୍ଠ ଅଧିକାରୀମାନେ ବୈଠକରେ ଉପସ୍ଥିତ ଥିଲେ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ