ଭୁବନେଶ୍ବର/ଭବାନୀପାଟଣା: ବିଗତ ୧୦ବର୍ଷରେ ରାଜ୍ୟରେ ଅଛନ୍ତି ଅଧିକାଂଶ ରାଜ୍ୟ ବାହାର ମାଓବାଦୀ । ଆତ୍ମସମର୍ପଣର ଟ୍ରେଣ୍ଡରୁ ଜଣାପଡିଛି ୨୦୧୦ରୁ୨୦୨୦ଓ ୨୧ରେ ପର୍ଯନ୍ତ ଅଧିକ ମାଓବାଦୀ ରାଜ୍ୟ ବାହାରର । ତେବେ ଭାଷାଗତ ସମସ୍ଯା ଓ ମାଓବାଦୀଙ୍କ ଅତ୍ୟାଚାରରୁ ଅତିଷ୍ଠ ହୋଇ ମାଓବାଦୀ ଆମ୍ମସମର୍ପଣ କରୁଛନ୍ତି । ସେମାନଙ୍କର ରାଙ୍କ ଅନୁସାରେ ବା ସେମାନେ ବ୍ୟବହାର କରୁଥିବା ଅସ୍ତ୍ରଶସ୍ତ୍ର ଅନୁସାରେ ତାଙ୍କୁ ରିହାବିଲେସନ ସ୍କିମରଜ ସହାୟତା ରାଶି ମିଳୁଛି ।
ଅର୍ଥାତ ବଡ ରାଙ୍କର ଯେପରିକି ଏସିଏମ ଆଦି ରାଙ୍କର ମାଓବାଦୀ ଆତ୍ମସମର୍ପଣ କଲେ । ସେହି ଅନୁସାରେ ଥଇଥାନ ପ୍ରକ୍ରିୟାରେ ସହାୟତା ଦିଆଯାଇ ସମାଜର ମୁଖ୍ଯ ସ୍ରୋତରେ ସାମିଲ କରାଯାଉଛି । ଯଦି ଦେଖିବା ୨୦୧୬ ୩୧ ଜଣ ମାଓବାଦୀ ଆତ୍ମସମର୍ପଣ କରିଥିବା ବେଳେ,୨୦୧୭ରେ ୨୬ଜଣ ୨୦୧୮ରେ ୨୭ଜଣ ,୨୦୧୯ରେ ୧୩ଜଣ ଓ ୨୦୨୦ରେ ୨୧ଜଣ ଆତ୍ମସମର୍ପଣ କରିଛନ୍ତି । ଯେଉଁଥିରେ ଅଧିକାଂଶ ମାଓବାଦୀ ରାଜ୍ୟ ବାହାରର ଥିବା ଜଣାପଡିଛି।
ଶନିବାର କଳାହାଣ୍ଡି ଓ ବଲାଙ୍ଗୀର ଗସ୍ତକରି ମାଓ ସମୀକ୍ଷା କରିଛନ୍ତି ପୋଲିସ ଡିଜି ଅଭୟ । ଖପ୍ରାଖୋଲ ,ଭବାନୀପାଟଣା,ହରିଶଙ୍କର ଓ ବଲାଙ୍ଗର ଆଦି ଅଞ୍ଚଳରେ ମଧ୍ଯ ମାଓ ମୁକାବିଲାର ସମୀକ୍ଷା କରିଛନ୍ତି । ଭବାନୀପାଟଣାରେ ଏକ ଜିଲ୍ଲାସ୍ତରୀୟ ଗୁଇନ୍ଦା କେନ୍ଦ୍ରର ଉଦଘାଟନ କରିଛନ୍ତି । ଯାହାକି ମାଓବାଦୀ ଗତିବିଧି ଉପରେ ନଜର ରଖିବାରେ କାମ କରିବ । ତେବେ ବିଗତ ସପ୍ତାହ ମଧ୍ୟରେ ଅନେକ କ୍ୟାଡ଼ର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି ।
ସେପଟେ, ପୋଲିସ ଡିଜିଙ୍କ କଳାହାଣ୍ତି ଗସ୍ତକୁ ନେଇ ନିଜର ସ୍ଥିତି ଜାହିର କରିଥିଲେ ମାଓବାଦୀ । ନିୟମଗିରି ପାହାଡରେ ଥିବା ତାଡିଝୋଲା ଗାଁ ନିକଟରୁ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ ହୋଇଛି । ତ୍ରିଲୋଚନପୁର ସିଆରପିଏଫ ଚତୁର୍ଥ ବାଟାଲିୟନ ପକ୍ଷରୁ କୁମ୍ବିଂ ଅପରେସନବେ ଳେ ଏସବୁ ମାଓ ସାମଗ୍ରୀ ଜବତ ହୋଇଛି । ସନ୍ଧାନୀ କୁକୁର ସହାୟତାରେ କୁମ୍ବିଂ ଅପରେସନ ବେଳେ ତାଡିଝୋଲା ଗାଁ ନିକଟ ଏକ ଗୁମ୍ଫାରେ କିଛି ମାଓ ସାମଗ୍ରୀ ରଖାଯାଇଥିବା ଜଣାପଡିଥିଲା ।
ସର୍ଚ୍ଚ ଅପରେସନ ବେଳେ ଗୁମ୍ଫାରୁ ମାଓ ବ୍ୟାନର ସହିତ ୨ ଟି ଦେଶୀ ବନ୍ଧୁକ, ୫ଟି ପଲିଥିନ, ୩୫ଟି ଜୀବନ୍ତ ଗୁଳି, ଜିଲୋଟିନ, ୩ଟି ଟିଫିନ ବୋମା, ୧୨ ରୁ ୧୫ କେଜି ୟୁରିଆ, ୫୦ଟି ଡେଟୋନେଟର ଓ ୩ଟି ଟର୍ଚ୍ଚ ଲାଇଟ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି । ଜବତ ହୋଇଥିବା ମାଓ ବ୍ୟାନରରେ ଜୁଲାଇ ୨୮ରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ଗାଁ ଗାଁରେ ସହୀଦ ସପ୍ତାହ ପାଳନ କରନ୍ତୁ ବୋଲି ଆହ୍ଵାନ ଦିଆଯାଇଛି । ଅନ୍ୟାୟ ଓ ଦୁର୍ନୀତି ସମାପ୍ତ କରି ଏକ ସୁସ୍ଥ ସମାଜ ଗଠନ ସହ ଜନଯୁଦ୍ଧ ଜୋରଦାର କରନ୍ତୁ ବୋଲି ମଧ୍ୟ ପୋଷ୍ଟରେ ଉଲ୍ଲେଖ ରହିଛି । ସିପିଆଇ ମାଓବାଦୀ ପ୍ରତିଷ୍ଠାତା ଚାରୁମଜୁମଦାର, କହ୍ନାଇ ଚାଟାର୍ଜୀ ସହିତ ସମସ୍ତଙ୍କୁ ଶ୍ରଦ୍ଧାଞ୍ଜଳି ସହ ଶେଷରେ ସିପିଆଇ ମାଓବାଦୀ ବାଂସ-ଘୁମୁସର ନାଗାବଳୀ ଡିଭିଜନାଲ କମିଟି ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି।
ଭୁବନେଶ୍ବର ତାପସ ପରିଡା ଓ କଳାହାଣ୍ତିରୁ ଅଜିତ ସିଂ, ଇଟିଭି ଭାରତ