ଭୁବନେଶ୍ବର: ଭାଙ୍ଗିଛି ସମସ୍ତ ଡିଗ୍ରୀ କଲେଜର ପରିଚାଳନା କମିଟି । ଗଭର୍ଣ୍ଣିଂ ବଡ଼ି କମିଟିରୁ ବିଧାୟକଙ୍କୁ ହଟାଇ ଏଡ଼ିଏମ ମାନଙ୍କୁ ରଖାଯିବା ନେଇ ନିଷ୍ପତି ନେଇଛି ଉଚ୍ଚଶିକ୍ଷା ବିଭାଗ । ଓଡିଶା ଶିକ୍ଷା ଆଇନ 1969 ବଳରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଏନେଇ ବିଜ୍ଞପ୍ତି ପ୍ରକାଶ କରିଛି । ତେବେ ସ୍ବୟଂଶାସିତ କଲେଜ ଓ ସଂଖ୍ୟାଲଘୁ ସମ୍ପ୍ରଦାୟ ଦ୍ବାରା ପରିଚାଳିତ କଲେଜ କ୍ଷେତ୍ରରେ ଏହା ଲାଗୁ ହେବ ନାହିଁ ।
ସେପଟେ ସ୍ଥାନୀୟ ବିଧାୟକ କଲେଜ ପରିଚାଳନା କମିଟିର ସଭାପତି ରହିପାରିବେନି ମନ୍ତବ୍ୟ ଦେଇଥିଲେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ । ଯାହାକୁ ନେଇ ଆରମ୍ଭ ହୋଇଛି ବିବାଦ । ସବୁଠୁ ବଡ଼ କଥା ନିଜ ଦଳର ନେତା ଖୋଦ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ କରିଛନ୍ତି ଖୁଲମଖୋଲା ବିରୋଧ । ବିଧାୟକ ହିଁ ସଭାପତି ରହିବା ଉଚିତ୍ । ଯଦି ବା ନରିବେ ଅନ୍ତତଃ ପକ୍ଷେ ସଦସ୍ୟ ରଖିବାକୁ ଦାବି କରିଛନ୍ତି ସୁଶାନ୍ତ । କଲେଜର ପରିଚାଳନା କମିଟିରେ ନରିହିଲେ ନାହିଁ କିନ୍ତୁ ବିକାଶ ପ୍ରକ୍ରିୟା ଜାରି ରହିବ ବୋଲି କହିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା ।
ଏପଟେ ମନ୍ତ୍ରୀ ଅରୁଣ ସାହୁଙ୍କ ଏହି ନିଷ୍ପତିକୁ ନେଇ ସମାଲୋଚନା କରିଛନ୍ତି ଉଭୟ ବିଜେପି ଓ କଂଗ୍ରେସ । ନିଜ ଦଳର ନେତାଙ୍କୁ ଥଇଥାନ କରିବାକୁ ବିଜେଡ଼ି ଏହି ଚାଲ କରୁଥିବା ଅଭିଯୋଗ ଆଣିଛନ୍ତି କଂଗ୍ରେସ ବିଧାୟକ ଅଧୀରାଜ ପାଣିଗ୍ରାହୀ । ସେହିପରି ଏହି ପ୍ରସଙ୍ଗକୁ ଦଳ ବିଧାନସଭାରେ ଉଠାଇବେ ବୋଲି କହିଛନ୍ତି ବିଜେପି ସନାତନ ବିଜୁଳି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ