ଭୁବନେଶ୍ବର: ରାଜ୍ୟରେ ହୁହୁ ହେଇ ବଢ଼ିଚାଲିଛି ଡେଙ୍ଗୁ ମଶାର ଦୌରାତ୍ମ୍ୟ । ଏହି କ୍ରମରେ ଗତକାଲି ସୁଦ୍ଧା ରାଜ୍ୟରେ ୩୪୮୪ ଡେଙ୍ଗୁ ଟେଷ୍ଟ କରାଯାଇଥିବା ବେଳେ ସେଥିମଧ୍ୟରୁ ୧୨୪ ଜଣଙ୍କ ନମୁନା ପଜେଟିଭ ଆସିଛି । ୧୭ଟି ଜିଲ୍ଲାରୁ ଡେଙ୍ଗୁ ରିପୋର୍ଟ ଆସିଥିଲେ ବି ମୁଖ୍ୟତଃ ଖୋର୍ଦ୍ଧା ଜିଲ୍ଲା ଏବଂ ଭୁବନେଶ୍ୱର ମହାନଗରରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଅଧିକ ବୃଦ୍ଧି ପାଇଛି ।
ଖୋର୍ଦ୍ଧାରେ ୪୮ଜଣ ଡେଙ୍ଗୁ ରୋଗରେ ଚିହ୍ନଟ ହୋଇଥିବା ବେଳ କୋରାପୁଟରେ ୧୯, ମାଲକାନଗିରିରେ ୧୨, ପୁରୀରେ ୧୮ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ନେଇ ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡା. ନିରଞ୍ଜନ ମିଶ୍ର । ଡା. ନିରଞ୍ଜନ ମିଶ୍ର କହିଛନ୍ତି ଯେ, ଏ ପର୍ଯ୍ୟନ୍ତ ରାଜ୍ୟରେ ଡେଙ୍ଗୁରେ ମୃତ୍ୟୁ ରିପୋର୍ଟ କିଛି ହସ୍ତଗତ ହୋଇନାହିଁ ।
ସାଧାରଣ ଲୋକଙ୍କ ସୁରକ୍ଷା ପାଇଁ ବିଭାଗ ତରଫରୁ ସମସ୍ତ ପଦକ୍ଷପ ଗ୍ରହଣ କରାଯାଇଛି । କିନ୍ତୁ ସାଧାରଣ ଲୋକ ମଧ୍ୟ ଅଧିକ ସଚେତନ ହେବା ଆବଶ୍ୟକ । କ୍ୟାପିଟାଲ ହସ୍ପିଟାଲରେ ସ୍ୱତନ୍ତ୍ର ଡେଙ୍ଗୁ ୱାର୍ଡ କରାଯାଇଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର