ଭୁବନେଶ୍ବର: ସହରରେ ଦିନକୁ ଦିନ ବୃଦ୍ଧି ହେବାରେ ଲାଗିଛି ଡେଙ୍ଗୁ ଆତଙ୍କ । ଡେଙ୍ଗୁର ବିନାଶ ପାଇଁ ଭୁବନେଶ୍ୱରରେ ଆରମ୍ଭ ହେଲା ଡ୍ରାଇ ଡେ କ୍ୟାମ୍ପେନ । ସପ୍ତାହକୁ ଦୁଇଦିନ ଅର୍ଥାତ ଗୁରୁବାର ଓ ରବିବାର ହେବ ଡ୍ରାଇ ଡେ ପାଳନ । ଆଜି ଏହି କ୍ୟାମ୍ପେନ ସହରର ତିନୋଟି ସ୍ଥାନରୁ ଆରମ୍ଭ ହୋଇଛି । ନୟାପଲ୍ଲୀ ବେହେରା ସାହିର ଦମୟନ୍ତୀ ଆପାର୍ଟମେଣ୍ଟ ଠାରୁ ମେୟର ସୁଲୋଚନା ଦାସ ଏହି କ୍ୟାମ୍ପେନର ଆରମ୍ଭ କରିଥିଲେ । ମେୟରଙ୍କ ସହ ସ୍ଥାନୀୟ ତିନି କର୍ପୋରେଟର ବିଏମସିର ଅଧିକାରୀ ଓ ସ୍ବାସ୍ଥ୍ୟ ଅଧିକାରୀ ସଚେତନ କରାଇବା ସହ ଆବର୍ଜନାପୂର୍ଣ୍ଣ ସ୍ଥାନକୁ ସଫା ରଖିବା ପାଇଁ ବୁଝାଇଥିଲେ । ଏପରିକି ମଶାମରା ଔଷଧ ସିଞ୍ଚନ କରାଯାଇଥିଲା ।
ଏହି ଅଭିଯାନରେ ସ୍ୱୟଂ ସହାୟିକା କର୍ମୀ ପ୍ଲାକାର୍ଡ ଧରି ସଚେତନତା ମଧ୍ୟ କରିଥିଲେ । ଏପରିକି ୱାର୍ଡର ବିଭିନ୍ନ ବର୍ଗର ବ୍ୟକ୍ତି ଓ ଗୋଷ୍ଠୀର ଲୋକେ ବି ସାମିଲ ହୋଇଥିଲେ । ଅନ୍ୟପଟେ ୟୁନିଟ ୯ ଓ ଚନ୍ଦ୍ରଶେଖରପୁରରେ ଏହି ଅଭିଯାନ ଆରମ୍ଭ ହୋଇଥିବା ବେଳେ ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ ମଧ୍ୟ ସାମିଲ ହୋଇଥିଲେ । ସହରରେ ଜୁନ ମାସରେ କେବଳ ୩୦ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ଅନେକ ଘରୋଇ ଚିକିତ୍ସାଳୟରେ ବି ଚିକିତ୍ସିତ ହେଉଛନ୍ତି ।
ଡେଙ୍ଗୁ ନିରାକରଣ ନେଇ ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ ଅଧ୍ୟକ୍ଷତାରେ ସୋମବାର ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଭୁବନେଶ୍ବର ମେୟର ସମେତ ୬୭ ୱାର୍ଡର କର୍ପୋରଟେର ଉପସ୍ଥିତ ରହି ନିଜର ମତ ରଖିଥିଲେ । ବୈଠକରେ ଭୁବନେଶ୍ୱରରେ ସପ୍ତାହକୁ ଦୁଇଦିନ ଡ୍ରାଇ ଡେ ପାଳନ ନେଇ ଆଲୋଚନା ହୋଇଥିଲା । ଡେଙ୍ଗୁ ରୋକିବା ପାଇଁ ସର୍ଭେ ଓ ସଚେତନତା ଉପରେ ଗୁରୁତ୍ୱ ଦେବା ସହ ଲୋକମାନଙ୍କୁ ଏହି ସଚେତନତା ଅଭିଯାନରେ ସାମିଲ ହେବା ପାଇଁ କହିଥିଲେ ଭୁବନେଶ୍ବର ମେୟର।