ଭୁବନେଶ୍ବର: ରାଜ୍ୟରେ ପୁଣି ବିଗିଡିବାରେ ଲାଗିଛି କୋରୋନା ସ୍ଥିତି । ଗୋଟେ ପଟେ ସଂକ୍ରମଣ କମୁଛି ବଢୁଛି ତ ଗୋଟେପଟେ ମୃତ୍ୟୁସଂଖ୍ୟା । ଲଗାତାର କିଛି ଦିନ ହେବ ଦୈନିକ ମୃତ୍ୟୁସଂଖ୍ୟା ୫ ତଳେ ରହୁଥିଲା । ହେଲେ ଆଜି(ରବିବାର) ହଠାତ୍ ତାହା ବଢିଛି । ରାଜ୍ୟରେ ଆଜି ଆଉ ୭ ଜଣଙ୍କ ଜୀବନ ନେଇଛି ମହାମାରୀ କୋରୋନା ।
ସ୍ବାସ୍ଥ୍ୟ ବିଭାଗର ରିପୋର୍ଟ ଅନୁସାରେ ଆଜିର ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫ ଜଣ ଥିବା ବେଳେ ଅନୁଗୋଳ ଓ ନବରଙ୍ଗପୁରରୁ ଜଣେ ଲେଖାଏଁ ଅଛନ୍ତି । ଖୋର୍ଦ୍ଧା ଜିଲ୍ଲାରେ କୋରୋନା ଜନିତ ମୃତ୍ୟୁସଂଖ୍ୟା ୧,୫୧୬କୁ ବୃଦ୍ଧି ପାଇଥିବା ବେଳେ ଅନୁଗୋଳରେ ୩୯୦ ଓ ନବରଙ୍ଗପୁରରେ ୮୧ରେ ପହଞ୍ଚିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନାଜନିତ ମୃତ୍ୟୁସଂଖ୍ୟା ୮ହଜାର ୨୪୯ରେ ପହଞ୍ଚିଛି ।
ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୫୨ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୯୨ ଜଣ ଅଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୩୧ ହଜାର ୬୯୬କୁ ବୃଦ୍ଧି ପାଇଛି । କିଛିଦିନ ହେବ ସଂକ୍ରମଣ କମିଥିଲେ ମଧ୍ୟ ପୁଣି ବଢିଛି । ମୃତ୍ୟୁସଂଖ୍ୟା ବି ବଢିଲାଣି । ଆଗକୁ ତୃତୀୟ ଲହର ବିପଦ ସଙ୍କେତ ଦେଖିବାକୁ ମିଳିଲାଣି । ଏପଟେ ସ୍ମାର୍ଟ ସିଟିକୁ ଫେରିଛି କଣ୍ଟେନମେଣ୍ଟ୍ ଜୋନ୍ । ଶୀତଋତୁ ଥିବାରୁ ସଂକ୍ରମଣ ବୃଦ୍ଧି ହେବା ସମ୍ଭାବନା ରହିଛି । ଏନେଇ ଅଧିକରୁ ଅଧିକ ସଚେତନତା ଅବଲମ୍ବନ କରିବାକୁ ପଡିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ