ଭୁବନେଶ୍ବର: ରାଜ୍ୟରେ ତଳମୁହାଁ କୋରୋନାଜନିତ ମୃତ୍ୟୁସଂଖ୍ୟା । ରିପୋର୍ଟ ଅନୁସାରେ ଆଜି(ସୋମବାର) ରାଜ୍ୟରେ ଆଜି ଆଉ ୪ ଜଣଙ୍କ ଜୀବନ ନେଇଛି ମହାମାରୀ କୋରୋନା । ମୃତ୍ୟୁ ରିପୋର୍ଟକୁ ଆଧାର କରି ରାଜ୍ୟରେ ମୋଟ ମୃତ୍ୟୁସଂଖ୍ୟା ୮୩୬୧କୁ ବୃଦ୍ଧି ହୋଇଛି ।
ସ୍ବାସ୍ଥ୍ୟ ବିଭାଗର ରିପୋର୍ଟ ଅନୁସାରେ ଆଜିର ମୃତକଙ୍କ ମଧ୍ୟରେ ଖୋର୍ଦ୍ଧାରୁ ଦୁଇଜଣ, ପୁରୀ ଓ ଗଞ୍ଜାମରୁ ଜଣେ ଲେଖାଏଁ ଆକ୍ରାନ୍ତ ଆଖି ବୁଜିଛନ୍ତି । ଏହାକୁ ମିଶାଇ ଖୋର୍ଦ୍ଧାରେ ସମୁଦାୟ ମୃତ୍ୟୁସଂଖ୍ୟା ୧୫୫୩ ହୋଇଥିବାବେଳ ପୁରୀରେ ୪୫୯ ଓ ଗଞ୍ଜାମରେ ୪୭୯ରେ ପହଞ୍ଚିଛି । ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୭୬ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୫୫ ଜଣ ୧୮ ବର୍ଷରୁ କମ୍ ଶିଶୁ ଓ କିଶୋର-କିଶୋରୀ କୋରୋନାରେ ସଂକ୍ରମିତ ହୋଇଛନ୍ତି ।
ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୪୩ ହଜାର ୭୪୫କୁ ବୃଦ୍ଧି ପାଇଛି । ସଂକ୍ରମଣ କମିଥିଲେ ମଧ୍ୟ ଦିନେ ବଢୁଛି ଦିନେ କମୁଛି । ମୃତ୍ୟୁସଂଖ୍ୟାର ସମାନ ସ୍ଥିତି ରହିଛି । ଆଗକୁ ତୃତୀୟ ଲହର ବିପଦ ରହିଛି । ଶୀତଋତୁ ସଂକ୍ରମଣ ବୃଦ୍ଧି ହେବା ସମ୍ଭାବନା ରହିଛି । ଏନେଇ ଅଧିକରୁ ଅଧିକ ସଚେତନତା ଅବଲମ୍ବନ କରିବାକୁ ପଡିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ