ଭୁବନେଶ୍ବର: ରାଜ୍ୟରେ ତଳମୁହାଁ କୋରୋନାଜନିତ ମୃତ୍ୟୁସଂଖ୍ୟା । ଦୁଇଦିନ ହେବ ୪ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ରିପୋର୍ଟ ଅନୁସାରେ ଆଜି(ଗୁରୁବାର) ରାଜ୍ୟରେ ଆଜି ଆଉ ୪ ଜଣଙ୍କ ଜୀବନ ନେଇଛି ମହାମାରୀ କୋରୋନା । ମୃତ୍ୟୁ ରିପୋର୍ଟକୁ ଆଧାର କରି ରାଜ୍ୟରେ ମୋଟ ମୃତ୍ୟୁସଂଖ୍ୟା ୮୩୪୭କୁ ବୃଦ୍ଧି ହୋଇଛି ।
ସ୍ବାସ୍ଥ୍ୟ ବିଭାଗର ରିପୋର୍ଟ ଅନୁସାରେ ଆଜିର ମୃତକଙ୍କ ମଧ୍ୟରେ ଅନୁଗୋଳ, କଟକ, ଖୋର୍ଦ୍ଧା ଓ ପୁରୀରୁ ଜଣେ ଲେଖାଏଁ ଆକ୍ରାନ୍ତ ଆଖି ବୁଜିଛନ୍ତି । ଏହାକୁ ମିଶାଇ ଖୋର୍ଦ୍ଧାର ସମୁଦାୟ ମୃତ୍ୟୁସଂଖ୍ୟା ୧୫୪୫ ହୋଇଥିବାବେଳେ ଅନୁଗୋଳରେ ୩୯୫, କଟକରେ ୮୫୪ ଓ ପୁରୀରେ ୪୫୮ରେ ପହଞ୍ଚିଛି । ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୫୧ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୪୫ ଜଣ ୧୮ ବର୍ଷରୁ କମ୍ ଶିଶୁ ଓ କିଶୋର-କିଶୋରୀ କୋରୋନାରେ ସଂକ୍ରମିତ ହୋଇଛନ୍ତି ।
ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୪୨ ହଜାର ୭୭୩କୁ ବୃଦ୍ଧି ପାଇଛି । ସଂକ୍ରମଣ କମିଥିଲେ ମଧ୍ୟ ଦିନେ ବଢୁଛି ଦିନେ କମୁଛି । ମୃତ୍ୟୁସଂଖ୍ୟାର ସମାନ ସ୍ଥିତି ରହିଛି । ଆଗକୁ ତୃତୀୟ ଲହର ବିପଦ ରହିଛି । ଶୀତଋତୁ ସଂକ୍ରମଣ ବୃଦ୍ଧି ହେବା ସମ୍ଭାବନା ରହିଛି । ଏନେଇ ଅଧିକରୁ ଅଧିକ ସଚେତନତା ଅବଲମ୍ବନ କରିବାକୁ ପଡିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ