ଭୁବନେଶ୍ବର: ପିପିଲି ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ପ୍ରଚାରକୁ ଜୋରଦାର କରିଛି ବିଜେଡି । ଡେଲାଙ୍ଗ ବ୍ଲକ ବେରବୋଇ ପଞ୍ଚାୟତରେ ପ୍ରଚାର କରିଛନ୍ତି ଛାତ୍ର ବିଜେଡି ସଭାପତି ତଥା ବାଙ୍କୀର ଯୁବ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ । ଦେବୀଙ୍କ ନେତୃତ୍ବରେ ରୁଦ୍ର ମହାରଥୀଙ୍କ ସପକ୍ଷରେ କରାଯାଇଛି ଜୋରଦାର ନିର୍ବାଚନୀ ପ୍ରଚାର ।
ପିପିଲିର ବିକାଶ ଧାରାକୁ ଜାରି ରଖିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ହାତମୁଠା ଟାଣ କରିବା ସହ ସ୍ବର୍ଗତ ପ୍ରଦୀପ ମହାରଥୀଙ୍କ ଅଧୁରା ସ୍ୱପ୍ନକୁ ପୁରଣ କରିବା ପାଇଁ ରୁଦ୍ରଙ୍କୁ ବିପୁଳ ଭୋଟରେ ବିଜୟୀ କରାଇବା ଅପିଲ କରିଛନ୍ତି ଦେବୀ । ବେରବୋଇ ପଂଚାୟତ ଛାତ୍ର ଦାୟିତ୍ବରେ ଥିବା ଦେବୀ ପ୍ରସାଦ ଲେଙ୍କା, ଛାତ୍ରନେତା ସଂଜୀବ କୁମାର ସ୍ବାଇଁ, ବାପୁନ ମେକାପ ଓ ଶୋଭନ ମହାନ୍ତିଙ୍କ ନେତୃତ୍ୱରେ ବେରବୋଇ ପଞ୍ଚାୟତର ଯୁବ ଛାତ୍ର ଗୋଷ୍ଠୀ ମୋଟରସାଇକେଲ ରାଲି କରିଛନ୍ତି ।
ବିଧାୟକ ଦେବୀ ତ୍ରିପାଠୀ, ପ୍ରାର୍ଥୀ ରୁଦ୍ର ମହାରଥୀଙ୍କୁ ବେରବୋଇ ପଞ୍ଚାୟତର ମନିଜପୁରରେ ସ୍ବାଗତ କରାଯିବା ସହ ମୋଟରସାଇକେଲ ରାଲି ବାହାରି ପଣ୍ଡାସାହି ବ୍ରହ୍ମେଶ୍ଵର ମନ୍ଦିରର ଶେଷ ହୋଇଥିଲା । ବେରବୋଇ ବିଜେଡି ଲାଗି କଷ୍ଟକର ପଞ୍ଚାୟତ ।
ଗତ ନିର୍ବାଚନରେ ଉକ୍ତ ପଞ୍ଚାୟତରେ ବିଜେଡି ପଛରେ ପଡିଥିଲା । ହେଲେ ଗତ କିଛି ଦିନ ମଧ୍ୟରେ ଟିମ ଲିଡର ଦେବୀ ପ୍ରସାଦ ତ୍ରିପାଠୀଙ୍କ ନେତୃତ୍ୱରେ ପଞ୍ଚାୟତରେ ସ୍ଥିତି ବିଜେଡି ସପକ୍ଷରେ ଆସୁଥିବା କୁହାଯାଉଛି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ