ଭୁବନେଶ୍ବର: ବବି-ପାଣ୍ଡିଆନ ନବୀନଙ୍କ ଦୁଇ ଆଖି ପ୍ରସଙ୍ଗରେ ମନ୍ତବ୍ୟ ଦେଇ ବିବାଦୀୟ ହୋଇଛନ୍ତି ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ । ଏହି ପ୍ରସଙ୍ଗରେ ଖଣ୍ଡପଡା ବିଧାୟକ ସୌମ୍ୟଙ୍କୁ ସମାଲୋଚନା କରିଛନ୍ତି ବରିଷ୍ଠ ନେତା ଦାମୋଦର ରାଉତ । ମନ୍ତ୍ରୀ ନହୋଇପରିବା ଯୋଗୁଁ ସୌମ୍ୟ ଏମିତି କ୍ଷୋଭ ପ୍ରକାଶ କରୁଛନ୍ତି ବୋଲି କଟାକ୍ଷ କରିଛନ୍ତି ଦାମ ।
ଦାମ କହିଛନ୍ତି ଯେ, ଜଣେ ଶୃଙ୍ଖଳିତ ନେତା ଯଦି ଦଳର ସର୍ବୋଚ୍ଚ ନେତାଙ୍କ ବିରୋଧରେ ଏଭଳି ପ୍ରତିକ୍ରିୟା ଦିଅନ୍ତି, ତେବେ ଏହା ଅଶୋଭନୀୟ । ଏହା ଦ୍ୱାରା ତୃଣମୂଳସ୍ତରକୁ ଭୁଲ ବାର୍ତ୍ତା ଯାଉଛି । ଏଭଳି ଭିନ୍ନ ଉଚ୍ଚାରଣ ଓ ଆଚରଣ ନକରିବାକୁ ସୌମ୍ୟଙ୍କୁ ପରାମର୍ଶ ଦେଇଛନ୍ତି ଦାମ । ଏଭଳି ବାର୍ତ୍ତା ଦ୍ୱାରା ଦଳ ସହ ନେତାଙ୍କର ମଧ୍ୟ କ୍ଷତି ହେଉଛି । ଯଦି ଦଳକୁ ନେଇ ତାଙ୍କ ମନରେ କିଛି କ୍ଷୋଭ ରହିଛି ତେବେ ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏବାବଦରେ ଆଲୋଚନା କରିପାରିବେ । ଏହା ନକରି ଏମିତି ପ୍ରତିକ୍ରିୟା ଦେବା ଲୋକମତକୁ ବିଭ୍ରାନ୍ତ କରୁଛି ।
ସମୟ ଥିଲା ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସୌମ୍ୟ ବାବୁ ଟିଭିରେ ଅନେକ କଥା କହୁଥିଲେ । ଖବରକାଗଜରେ ଅନେକ କଥା ଲେଖୁଥିଲେ । ମୁଖ୍ୟମନ୍ତ୍ରୀଙ୍କ ଭାଷା ଜ୍ଞାନକୁ ନେଇ କଟାକ୍ଷ ମଧ୍ୟ କରିଥିଲେ । ଯେଉଁ ଦିନ ଏନେଇ ସମାଲୋଚନା କରିଥିଲେ ତା'ପର ଦିନ ଆସି ବିଜେଡିରେ ମିଶିଥିଲେ । ଦଳକୁ ଅସୁଆସୁ ସିଧା ରାଜ୍ୟସଭା ଯାଇଥିଲେ । 2019ରେ ଖଣ୍ଡପଡାରୁ ନିର୍ବାଚନ ଲଢି ବିଧାୟକ ହୋଇଥିଲେ । ତାଙ୍କର ଆଶା ଥିଲା ମନ୍ତ୍ରୀ ହେବେ । ହେଲେ ହୋଇପାରିଲେ ନାହିଁ । ସେଥିପାଇଁ ସେ ଏମିତି କ୍ଷୋଭ ପ୍ରକାଶ କରୁଛନ୍ତି ।
ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ଇଟିଭି ଭାରତ