ଭୁବନେଶ୍ବର: ସାମୁଦ୍ରିକ ଝଡ ୟସ୍ ଭୀଷଣ ବାତ୍ୟାର ରୂପ ନେଇଛି । ସୋମବାର ସନ୍ଧ୍ୟା ବେଳକୁ ଏହା ପାରଦ୍ଵୀପ ଠାରୁ ଦକ୍ଷିଣ ଓ ଦକ୍ଷିଣପୂର୍ବ ଦିଗର ୪୩୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇ ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି । ବୁଧବାର ସନ୍ଧ୍ୟା ସୁଦ୍ଧା ଏହା ବାଲେଶ୍ବର ପାଖରେ ସ୍ଥଳଭାଗ ଛୁଇଁବ । ତେବେ ଏହି ସମୟରେ ଘଣ୍ଟାପ୍ରତି ପବନର ବେଗ 120ରୁ 165 କିମି ସହ ତାଣ୍ଡବ ଲୀଳା ରଚିବ ବାତ୍ୟା । ଏହାର ପ୍ରଭାବରେ ବାଲେଶ୍ବର ଜିଲ୍ଲାର ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ 3 ରୁ 4 ମିଟର ଜୁଆର ଉଠିବ ବୋଲି ଏସଆରସି ସୂଚନା ଦେଇଛନ୍ତି ।
ଏସଆରସିଙ୍କ ସୂଚନା ମୁତାବକ, ବାତ୍ୟା ପ୍ରଭାବରେ ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର ଓ ଯାଜପୁରରେ ପବନର ବେଗ 120 କିମିରୁ ଅଧିକ ରହିବ । ଏଥିସହ ବାତ୍ୟାର ଆଖି ମୁଖ୍ୟତଃ ବାଲେଶ୍ବର ଉପରେ ରହିବ । ସର୍ବାଧିକ 185 କିଲୋମିଟର ପବନର ବେଗ ବଢିପାରେ ବୋଲି ଆକଳନ କରାଯାଇଛି । ଏଥିସହ 25 ତାରିଖ ଅର୍ଥାତ୍ ଆଜିଠାରୁ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଯାହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଆଗୁଆ ପଦକ୍ଷେପ ନିଆଯାଇଛି । ଏବେ ସୁଦ୍ଧା ପ୍ରାୟ 15 ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଥିବାବେଳେ ସ୍ଥାନାନ୍ତରଣ ପ୍ରକ୍ରିୟା ଏବେ ବି ଜାରି ରହିଛି ।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ