ଭୁବନେଶ୍ବର: ମାଡିଆସୁଛି ବାତ୍ୟା ଗୁଲାବ। ଆସନ୍ତା ୨୬ ତାରିଖରେ ଏହା ସ୍ଥଳଭାଗ ଛୁଇଁବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) । ଦକ୍ଷିଣ ଓଡିଶା-ଉତ୍ତର ଆନ୍ଧ୍ରପ୍ରଦେଶ ଦେଇ ଏହା ସ୍ଥଳଭାଗ ଅତିକ୍ରମ କରିବ ବୋଲି କୁହାଯାଉଛି । ଏହା ଓଡ଼ିଶାର ଗୋପାଳପୁର ଓ ଆନ୍ଧ୍ରପ୍ରଦେଶ ବିଶାଖାପାଟଣାର ମଧ୍ୟଭାଗରେ ଥିବା କଳିଙ୍ଗପଟ୍ଟନମ ଦେଇ ଗତି କରିବ ବୋଲି ପ୍ରାଥମିକ ସୂଚନା ମିଳିଛି । ଅଵପାତ ଏବେ ଅଧିକ ଘନିଭୂତ ହୋଇ ଗଭୀର ଅବପାତରେ ପରିଣତ ହେଉଛି । ଅଧିକ ଘନୀଭୂତ ହେଲେ ଏହା ବାତ୍ୟାର ରୂପ ନେବ ।
ଏହାର ପ୍ରଭାବରେ ଘଣ୍ଟା ପ୍ରତି ୬୦ରୁ ୭୦ କିଲୋମିଟର ବେଗରେ ପବନ ବହିବା ସହ ପ୍ରବଳ ବର୍ଷା ହେବାର ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ସମୟ ସମୟରେ ପବନର ବେଗ ଘଣ୍ଟା ପ୍ରତି ୯୦ କିଲୋମିଟର ମଧ୍ୟ ହୋଇପାରେ । ଆଇଏମଡିର ଆକଳନ ଅନୁଯାୟୀ ବର୍ତ୍ତମାନ ଏହା ଗୋପାଳପୁର ଠାରୁ ୫୧୦ କିଲୋମିଟର ପୂର୍ବ-ଦକ୍ଷିଣରେ ଥିବାବେଳେ କଳିଙ୍ଗପାଟ୍ଟନମଠାରୁ 590 କିଲୋମିଟର ଦୂରତାରେ ରହିଛି।
ଏହାର ପ୍ରଭାବରେ ଆଜି(ଶନିବାର) ସନ୍ଧ୍ୟାରେ ଘଣ୍ଟା ପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପବନ ବୋହିବା ସହ ୨୬ ତାରିଖରେ ଘଣ୍ଟା ପ୍ରତି ୭୦ରୁ ୮୦ କିଲୋମିଟର ବେଗରେ ପବନ ବୋହିବ । ସେହିପରି ସ୍ଥଳବିଶେଷରେ ଏହା ୯୦ କିଲୋମିଟର ମଧ୍ୟ ଛୁଇଁବ ବୋଲି କୁହାଯାଉଛି।
ଭୁବନେଶ୍ବରରୁ ଦେବଶ୍ମିତା ରାଉତ, ଇଟିଭି ଭାରତ