ଭୁବନେଶ୍ବର: ସାଇବର ଠକଙ୍କଠୁ ଆଉ ପାଦେ ଆଗେଇଲା ପୋଲିସ। ଠକାମୀ ଟଙ୍କାକୁ ଫେରିପାଇବାରେ ସଫଳ ହେଲା କମିସନରେଟ ପୋଲିସ। ଗତ ଡିସେମ୍ବର 9 ତାରିଖରେ ସହିଦନଗରରେ ଠକାମୀର ଶିକାର ଜଣେ ବ୍ୟକ୍ତିଙ୍କ ୫୩ ହଜାର ଟଙ୍କାରୁ ୯ ହଜାର ଫେରି ପାଇବାରେ ସଫଳ ହୋଇଛି ପୋଲିସ।
ତେବେ ସାଇବର ଠକ ଦୁଇଟି ପର୍ଯ୍ୟାୟରେ ପ୍ରଥମେ ୪୪ ହଜାର ପରେ ୯ ହଜାର ଠକିନେଇଥିଲା। ବ୍ୟକ୍ତି ଜଣଙ୍କ ୪୪ ହଜାର ଠକେଇ ପରେ ଡିସିପି ଅଫିସରେ ଖୋଲାଯାଇଥିବା ହେଲପ ଡେସ୍କ 7440006709 ନମ୍ବରକୁ କଲ କରି ତୁରନ୍ତ ଜଣାଇବା ପରେ କମିସନରେଟ ପୋଲିସର ହେଲପ ଡେସ୍କ ସେହି ଆକାଉଣ୍ଟକୁ ତୁରନ୍ତ ଫ୍ରିଜ କରାଇଥିଲେ ଫଳରେ ଦ୍ବିତୀୟ ପର୍ଯାୟ ୯ ହଜାର ଟଙ୍କା ଅଭିଯୋଗକାରୀଙ୍କ ଆକାଉଣ୍ଟରୁ କଟିଥିଲେ ମଧ୍ୟ ସାଇବର ଠକର ଆକାଉଣ୍ଟ ଫ୍ରିଜ ହେବା ଫଳରେ ଲୁଟିବାରେ ସଫଳ ହୋଇପାରିନଥିଲା ଠକ ।
ପରେ ସେହି ଆକାଉଣ୍ଟରୁ ଟଙ୍କାକୁ ଫେରିପାଇବାରେ ସହାୟକ ହୋଇଥିଲା ପୋଲିସ। ଯାହାକି ସାଇବର ଠକାମୀର ଶିକାର ହେଉଥିବା ଲୋକଙ୍କ ପାଇଁ ଏହା ଏକ ଖୁସିର ଖବର। ଉଚିତ ସମୟରେ ପୋଲିସକୁ ଜଣାଇବା ସହ ଏଭଳି ଠକାମୀ ହେଉଥିବା କଲ୍ ବା ସାଇବର ଠକଙ୍କ ପ୍ରତି ସାବଧାନ ହୁଅନ୍ତୁ। ଏଭଳି ସଫଳତା ପରେ ଓଡ଼ିଶା ପୋଲିସ ପାଇଁ ଏହା ଚ୍ୟାଲେଞ୍ଜ ହୋଇଛି କାରଣ କେବଳ ଭୁବନେଶ୍ବରରେ ନୁହେଁ ବରଂ ଏହିଭଳି ଠକ ସାରା ରାଜ୍ୟରେ ଅଛନ୍ତି।
ଏହାସହ ଭୁବନେଶ୍ବର ବାହାରୁ କଲ୍ ଆସୁଛି, ତେବେ ସେମାନଙ୍କ ବିରୋଧରେ ମଧ୍ୟ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ଏପରି ଠକେଇ ବିରୋଧରେ କିପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ, ସେ ନେଇ ଓଡ଼ିଶା ପୋଲିସ ପକ୍ଷରୁ ହେଲପ ଡେସ୍କ ଖୋଲାଯିବ। ବାହାର ରାଜ୍ୟରେ ଏପରିକି ତେଲେଙ୍ଗାନା ପୋଲିସର ସାଇବର ଯୋଦ୍ଧା ଓ ପଞ୍ଜାବ ପୋଲିସ ମଧ୍ୟ ସହାୟତା ପାଇ ବିଭିନ୍ନ ପଦକ୍ଷେପ ନେଉଛନ୍ତି । ସାଇବର ଠକଙ୍କ ଉପରେ ନଜର ରଖିବା ସହ ଠକାମି ନ ହେବା ପାଇଁ ପଦକ୍ଷେପ ନେଲେଣି । ତେବେ କେବେ ଓଡିଶା ପୋଲିସ ଏ ଦିଗରେ ପଦକ୍ଷେପ ନେବ ତାହା ଏକ ବଡ ପ୍ରଶ୍ନ ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ