ଭୁବନେଶ୍ବର: ରଙ୍ଗମଞ୍ଚ ଓ ମଣ୍ଡପ ଗୁଡିକରେ ଝୁଲୁଥିଲା ତାଲା । ଯେଉଁଠି ପ୍ରତିଦିନ ଶହ ଶହ ଲୋକଙ୍କ ସମାଗମରେ ଆଲୋକ, ବାଦ୍ୟ ଓ ସଙ୍ଗୀତର ତାଳେ ତାଳେ କଳାକାରଙ୍କ ସାନିଧ୍ୟ ଲାଭ କରି ମଞ୍ଚ ପୁରୀ ଉଠୁଥିଲା । ତାହା ଦୀର୍ଘ 9 ମାସ ଧରି କୋରୋନା ଯୋଗୁଁ ବନ୍ଦ ହୋଇଯାଇଥିଲା । ଏଇ କିଛିଦିନ ହେବ ସରକାର ରାଜ୍ୟରେ ମଣ୍ଡପ ଓ ପ୍ରେକ୍ଷାଳୟ ଗୁଡିକୁ ଖୋଲିବାକୁ ଅନୁମତି ଦେଇଛନ୍ତି ସତ କିନ୍ତୁ ଏପର୍ଯ୍ୟନ୍ତ ମଞ୍ଚକୁ ଫେରିବାକୁ ସାହାସ ଜୁଟାଇ ପାରୁ ନାହଁନ୍ତି ଅନୁଷ୍ଠାନ କି କଳାକାର ।
ଏହି 9ମାସ ମଧ୍ୟରେ ଯିଏ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ବୋଲି କୁହାଯିବ ,ସିଏ ହେଉଛନ୍ତି ଏହି କଳାକାର।ଯିଏ ନିଜ ଦୁଃଖ କୁ ଅନ୍ତର ଭିତରେ ଚାପି ରଖି ଅନ୍ୟମାନଙ୍କ ମୁହଁରେ ହସ ଫୁଟାଇବା ପାଇଁ ଅନବରତ ପ୍ରୟାସ କରୁଥିଲା ତାକୁ କୋରୋନାର କରୁଣ ପ୍ରହାର ଶକ୍ତ ଧକ୍କା ଦେଇଛି । ତାର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ପଡିଛି।
ଏପରି ଅସହାୟ ହୋଇ ପଡିଛି ଯେ ନିଜେ ଓ ନିଜ ପରିବାର ସଦସ୍ୟଙ୍କ ମଧ୍ୟ ଗଣ୍ଡେ ଆହାର ଦେବାକୁ ତାକୁ ରାସ୍ତା ଉପରକୁ ଆସିଥିବା ଏହି ସମୟରେ ଦେଖୁବାକୁ ମିଳିଛି। ଆଉ ଏହା ଭିତରେ ଯାହାକୁ ନେଇ ବେଉସା କରୁଥିଲା ତାକୁ ପୁରା ଭୁଲିଯିବାକୁ ବାଧ୍ୟ ହୋଇଛି। ସରକାରଙ୍କ ପକ୍ଷରୁ ସେମାନଙ୍କୁ ସହଯୋଗ ର ହାତ ଲମ୍ବି ଆସିନାହିଁ । ବର୍ତ୍ତମାନ ସମୟ କ୍ରମେ କୋରୋନାର ପ୍ରକୋପ କମିବା ସହ ସରକାର ମଞ୍ଚ ଓ ପ୍ରେକ୍ଷାଳୟ ଖୋଲିବାକୁ ଅନୁମତି ପ୍ରଦାନ କରି ସାରିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ଅନୁଷ୍ଠାନ କାର୍ଯ୍ୟକ୍ରମ ଆୟୋଜନ କରିନାହିଁ ।
ଏହାର କାରଣ ସେ ଯେପରି ଦୁଃଖ ସହିଛି କଳାକୁ ଭଲ ପାଇ ତାକୁ ପ୍ରୋତ୍ସାହନ ଦେବାକୁ ଆଗେଇ ଆସୁଥିବା ବ୍ୟକ୍ତି ଓ ଅନୁଷ୍ଠାନମାନ ମଧ୍ୟ ଏହି କରୋନା ସମୟରେ ଆର୍ଥିକ କ୍ଷତି ସହିଛନ୍ତି। ଫଳରେ ବର୍ତ୍ତମାନ ସମୟରେ ସେମାନଙ୍କ ପାଖକୁ କଳାକାର ଯାଇ କିଛି ମାଗି ପାରୁନାହିଁ କି ସେମାନେ ତାଙ୍କ ପକ୍ଷରୁ କୌଣସି ସହଯୋଗ ପାଇଁ ଉତ୍ସାହ ଦେଖାଉ ନାହଁନ୍ତି । ଏପରି ସମୟରେ ଆଶା ଓ ଆଶଙ୍କାରେ କିଛି ସାଂସ୍କୃତିକ ଅନୁଷ୍ଠାନ ଆଗକୁ ପାଦ କାଢ଼ିଥିଲେ ମଧ୍ୟ ଏହି ସମୟରେ ସରକାର ସେମାନଙ୍କ ପ୍ରତି ଦୃଷ୍ଟି ଦେବା ସହ ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି।ନଚେତ ଏହି କରୋନା ଓଡ଼ିଶାର ଐତିହ୍ୟ ସମ୍ପନ୍ନ ସଂସ୍କୃତିକୁ ନିଷ୍ପେସିତ କରିଦେବ ବୋଲି କହିଛନ୍ତି ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ