ଭୁବନେଶ୍ବର: ସିଆରପିରେ ଜଟିଆ ଓରଫ ଟୁକୁନା ହତ୍ୟାକାଣ୍ଡରେ ୭ ଗିରଫ । 2 ହତ୍ୟାକାରୀ ସାଗର ଓ ସୁଧୀରକୁ ଗିରଫ କରିଛି ନୟାପଲ୍ଲୀ ଥାନା ପୋଲିସ। ଏହା ସହ ହତ୍ୟାକାଣ୍ଡ ପରେ ହତ୍ୟାକାରୀଙ୍କୁ ମାଡ ମାରିବା, ଆଇନକୁ ହାତକୁ ନେବା, ସର୍ବସାଧାରଣରେ ଭୟର ବାତାବରଣ ସୃଷ୍ଟି କରିବା ଆଦି ମାମଲାରେ ଆଉ ୫ଜଣକୁ ଗିରଫ କରିଛି ପୋଲିସ।
ଯେଉଁମାନେ ହତ୍ଯାକାରୀ ସୁଧୀର ଓ ସାଗରକୁ ରାସ୍ତା ଉପରେ ନିର୍ଦ୍ଦୟ ଭାବେ ପିଟୁଥିଲେ ଏବଂ ପୋଲିସ ଗାଡିରୁ ଆଣି ମାଡ ମାରିଥିଲେ। ଏପରିକି ପୋଲିସ ଗାଡି ଭଙ୍ଗାରୁଜା ସହ ପୋଲିସ ଉପରକୁ ହାତ ମଧ୍ଯ ଉଠାଇଥିଲେ। ସେମାନଙ୍କୁ ଗିରଫ କରାଯାଇଛି ।
ଗତକାଲି ସିଆରପି ଛକରେ ବିଭତ୍ସ ହତ୍ୟାକାଣ୍ଡ ହୋଇଥିଲା । ଦିନ ଦ୍ବିପ୍ରହରରେ ଭୁବନେଶ୍ବର ସିଆରପି ଛକରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି । ପୂର୍ବ ଶତୃତାକୁ ନେଇ ହତ୍ୟାକାଣ୍ଡ ଘଟିଥିବା କୁହାଯାଇଛି ।
ଡିସିପିଙ୍କ ସୂଚନା ଅନୁଯାୟୀ, ଶନିବାରଏକ ପିକଅପ ଭ୍ୟାନରେ ସୁଧୀର, ସାଗର ଏବଂ ଟୁକୁନା ନାମକ ତିନିଜଣ ବ୍ୟକ୍ତି ଆସୁଥିଲେ। ସିଆରପି ଛକ ଏଣ୍ଟ୍ରିରେ ହଠାତ ଗାଡିରେ ଥିବା ସୁଧୀର ଏବଂ ସାଗର ଗାଡିରୁ ଓହ୍ଲାଇ ଭୁଜାଲିରେ ଗାଡି ଭିତରେ ଥିବା ଟୁକୁନାକୁ ଆକ୍ରମଣ କରିଥିଲେ। ଯେଉଁଥିରେ ଟୁକୁନାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି । ତେବେ ଲୋକଙ୍କ ସମ୍ମୁଖରେ ଭୁଜାଲିରେ ଏପରି ଆକ୍ରମଣ ପରେ ହତ୍ୟା ଦେଖି ସ୍ଥାନୀୟ ଲୋକେ ତାତି ଯାଇଥିଲେ। ଏପରିକି ହତ୍ୟାକାରୀ ଦୁଇ ଅଭିଯୁକ୍ତଙ୍କୁ ସେହିଠାରେ କିଛି ଲୋକ ପିଟିଥିଲେ। ପରେ ସେମାନେ ଚମ୍ପଟ ମାରିଥିଲେ। ପୋଲିସ ଓ ସ୍ଥାନୀୟ ଲୋକେ ଗୋଡାଇ ସେହି ଦୁଇଜଣଙ୍କୁ କାବୁ କରିଥିଲେ। ଲୋକେ ପୋଲିସ ପହଞ୍ଚିବା ପରେ ସେହି ଦୁଇ ଜଣଙ୍କୁ ନିଜ ହେପାଜତରେ ନେଇ ଯିବାବେଳେ ଉତ୍ୟକ୍ତ ଲୋକେ ପିସିଆରକୁ ଆକ୍ରମଣ କରିଥିଲେ। କାରଣ ରାଜଧାନୀରେ ଏପରି ଆଇନଶୃଙ୍ଖଳା ବ୍ୟବସ୍ଥା ଦେଖି ଏପରି ଘଟଣାକୁ ନେଇ ତୀବ୍ର ବିରୋଧ କରିଥିଲେ ଲୋକେ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ