ଭୁବନେଶ୍ବର: ଦୁର୍ଗା ପୂଜା ସମୟରେ କୋଭିଡ ସତର୍କତା ପାଳନ କରିବାକୁ ସ୍ବାସ୍ଥ୍ୟ ବିଭାଗ ଜାରି କଲା ନୋଟିସ। ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛି ସ୍ବାସ୍ଥ୍ୟ ବିଭାଗ । ଆଜି(ଗୁରୁବାର) ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି।
ନିକଟରେ ସମସ୍ତ ବିଭାଗୀୟ ଅଧିକାରୀଙ୍କ ସହ ବୈଠକ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ବୈଠକରେ ପୂଜା ସମୟରେ କିଭଳି କୋଭଡ ନିୟମର ପାଳନ ସେନେଇ ଜୋର ଦେଇଥିଲେ ମୁଖ୍ୟମନ୍ତ୍ରୀ। କୋରୋନାକୁ ନେଇ ସମସ୍ତ ବିଭାଗକୁ ସଜାଗ ରହିବାକୁ ସେ ସଚେତନ କରାଇଥିଲେ।
ଏହାପରେ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି। ପୂଜାରେ ସମୟରେ ଅଧିକ ଗହଳ ନକରିବା। ସାମାଜିକ ଦୂରତା ବଜାୟ ରଖିବା, ମାସ୍କ ଓ ସାନିଟାଇଜରର ଠିକ ଭାବରେ ବ୍ୟବହାର କରିବା ଭଳି ଦିଗରେ ଗୁରୁତ୍ବ ଦେବାକୁ ସେ ଚିଠିରେ ଉଲ୍ଲେଖ କରିଛନ୍ତି।
ଯେଉଁ ବ୍ୟକ୍ତି ବିଶେଷମାନେ କୋଭିଡ ନିୟମ ଉଲ୍ଲଂଘନ କରିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପୂଜା ସମୟରେ ଯେଉଁ ସ୍ଥାନରେ ଜନ ଗହଳି ହେବାର ଆଶଙ୍କା ରହିଛି ସେଠାରେ ପୋଲିସ ମୁତୟନ କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ