ଭୁବନେଶ୍ବର: ରାଜଧାନୀର ଶହୀଦ ନଗର ବି.ଏମ.ସି ଭବାନୀ ମଲ ସ୍ଥିତ ସ୍ମାର୍ଟ ସିଟି କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି ଜଳସମ୍ପଦ ସଚିବ ଅନୁ ଗର୍ଗ, ଶ୍ରମ ଆୟୁକ୍ତ ଡଃ .ଏନ୍. ଥିରୁମାଲା ନାଏକ । ସେଠାରେ ସେମାନେ ୧୯୨୯ କଲ୍ ସେଣ୍ଟର ପରିଚାଳନା ସଂପର୍କରେ ପଚାରି ବୁଝିଛନ୍ତି । ଏହି ପରିଦର୍ଶନ ସମୟରେ ଭୁବନେଶ୍ବର ମହାନଗର ନିଗମ କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ଉପସ୍ଥିତ ଥିଲେ ।
![୧୯୨୯ କଲ୍ ସେଣ୍ଟର ପରିଦର୍ଶନ କଲେ ଭୁବନେଶ୍ବର କୋଭିଡ ପର୍ଯ୍ୟବେକ୍ଷକ](https://etvbharatimages.akamaized.net/etvbharat/prod-images/11467200_707_11467200_1618881674872.png)
କୋଭିଡ ପର୍ଯ୍ୟବେକ୍ଷକ ଏହି କଲ ସେଣ୍ଟରରେ କାର୍ଯ୍ୟରତ ଷ୍ଟାଫ୍ ଓ ଡାକ୍ତରମାନଙ୍କ ସହିତ ଆଲୋଚନା କରିଛନ୍ତି । ଜନସାଧାରଣ, ସଂକ୍ରମିତ ତଥା ସମ୍ଭାବ୍ୟ ସଂକ୍ରମିତମାନଙ୍କୁ ସେମାନେ କିପରି ଆବଶ୍ୟକ ସୂଚନା ପ୍ରଦାନ କରୁଛନ୍ତି, ସେ ସମ୍ପର୍କରେ ଅବଗତ ହୋଇଛନ୍ତି । କଲ ସେଣ୍ଟରରେ ଟେଲିଫୋନ ଯେପରି ବେଶୀ ସମୟ ବ୍ୟସ୍ତ ନ ରୁହେ ଏହା ଉପରେ ନଜର ରଖିବାକୁ ପର୍ଯ୍ୟବେକ୍ଷକ ପରାମର୍ଶ ଦେଇଛନ୍ତି । ସେଣ୍ଟର ଜରିଆରେ ଅନୁସନ୍ଧାନ କରୁଥିବା ବ୍ୟକ୍ତିଙ୍କୁ ତ୍ବରିତ ସେବା ଯୋଗାଇଦେବା ଲାଗି ଷ୍ଟାଫ ସଂଖ୍ୟା ବୃଦ୍ଧି କରିବାକୁ ପର୍ଯ୍ୟବେକ୍ଷକ ପରାମର୍ଶ ଦେଇଛନ୍ତି ।
କୋଭିଡ ପରିଚାଳନା ପାଇଁ ୨୦୨୧ ମାର୍ଚ୍ଚ ୨୪ରୁ ଭୁବନେଶ୍ବର ସ୍ମାର୍ଟ ସିଟି ପାଇଁ ୧୯୨୯ କଲ ସେଣ୍ଟରର କାର୍ଯ୍ୟକୁ ତ୍ବରାନ୍ବିତ କରାଯାଇଛି । ବିଭିନ୍ନ ସେବା ପାଇଁ ୩୬ ଜଣ କଲ ସେଣ୍ଟର ଅପରେଟର କାର୍ଯ୍ୟ କରୁଛନ୍ତି । କୋଭିଡ ପରିଚାଳନା ପରିପ୍ରେକ୍ଷୀରେ ଏଠାରେ କାର୍ଯ୍ୟରତ ଡାଟା ଏଣ୍ଟ୍ରି ଅପରେଟର ଏବଂ ଡାକ୍ତରମାନେ କୋଭିଡ ସଂକ୍ରମିତ ବ୍ୟକ୍ତିଙ୍କୁ ସଙ୍ଗରୋଧ ପରାମର୍ଶ ଦେବା ସହିତ ଗୁରୁତର ରୋଗୀଙ୍କୁ ଡାକ୍ତରଖାନା ଯିବା ପାଇଁ ଆବଶ୍ୟକୀୟ ପରାମର୍ଶ ଓ ସୂଚନା ଦେଉଛନ୍ତି ।
କୋଭିଡ଼ ସଂକ୍ରମିତଙ୍କ ପାଇଁ କଲ ସେଣ୍ଟରରେ ଥିବା ଡାକ୍ତରମାନଙ୍କ ଦ୍ଵାରା ଔଷଧ ସେବନ ପରାମର୍ଶ ସଂକ୍ରାନ୍ତୀୟ କଲ ଗ୍ରହଣ କରିବା ସହିତ ପରାମର୍ଶ ଦେଉଛନ୍ତି । କୋଭିଡ ସଂପର୍କିତ ଆବଶ୍ୟକ ତଥ୍ୟ, ଜନସାଧାରଣ ତଥା ସଂକ୍ରମିତଙ୍କ ପ୍ରଶ୍ନର ଉତ୍ତର, ବିଭିନ୍ନ ୱାର୍ଡ ପାଇଁ ନିୟୋଜିତ ୱାର୍ଡ ଅଫିସରଙ୍କ ସୂଚନା ପ୍ରଦାନ କରିବାରେ ସହାୟକ ହେଉଛନ୍ତି । କୋଭିଡ ମୁକାବିଲା ପାଇଁ ୧୯୨୯ କଲ ସେଣ୍ଟରର ସୁବିଧା ନେବାକୁ କୋଭିଡ ପର୍ଯ୍ୟବେକ୍ଷକ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ ଓ ସଞ୍ଜୀବ ରାୟ, ଇଟିଭି ଭାରତ