ଭୁବନେଶ୍ବର: ଐତିହାସିକ କଳିଙ୍ଗ ଷ୍ଟାଡିୟମ୍ରେ ଖେଳାଯାଉଥିବା FIH ପୁରୁଷ ଜୁନିଅର ହକି ବିଶ୍ବକପ (Junior Hockey World Cup)ରେ ପସିଲା କୋରୋନା । ଓଡିଶା ସରକାରଙ୍କ ପକ୍ଷରୁ ନିଯୁକ୍ତ ଜଣେ କର୍ମଚାରୀ COVID ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ଏନେଇ ଶୁକ୍ରବାର ଜଣେ ଅଧିକାରୀ ସ୍ପଷ୍ଟ କରିଛନ୍ତି ।
ସୂଚନା ଅନୁଯାୟୀ, ଓଡିଶା ସରକାରଙ୍କ କ୍ରୀଡା ଓ ଯୁବ ସେବା (DSYS) ବିଭାଗର ସୋସିଆଲ ମିଡିଆ ଟିମର ଜଣେ କର୍ମଚାରୀ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ଜଣାପଡିବା ପରେ ପଜିଟିଭ ଚିହ୍ନଟ ହୋଇଥିବା କର୍ମଚାରୀଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବା କାର୍ଯ୍ୟ ଜାରି ରହିଛି ।
ଟୁର୍ନାମେଣ୍ଟ ଆୟୋଜନରେ ନିୟୋଜିତ ଥିବା କର୍ମଚାରୀ ଓ ଅନ୍ୟ ଅଂଶଗ୍ରହଣକାରୀଙ୍କୁ ବାହାରକୁ ଯିବାକୁ ଅନୁମତି ଥିବା ସହ ପ୍ରତି ୭୨ ଘଣ୍ଟାରେ COVID ଟେଷ୍ଟ କରିବାକୁ ନିୟମ ରହିଥିବାରୁ ଭାଇରସ ସଂସ୍ପର୍ଶରେ ସଂକ୍ରିତ କର୍ମଚାରୀ ଆସିଥିବା ଅନୁମାନ କରାଯାଉଛି ।
ରିପୋର୍ଟ ପଜିଟିଭ ଜଣାପଡିବା ପରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ ବିଶ୍ବକପ ଇଭେଣ୍ଟ ସହ ଜଡିତ ଥିବା ଅନ୍ୟ ସଦସ୍ୟଙ୍କ ମଧ୍ୟ ଟେଷ୍ଟ କରାଯାଉଛି । ଭାଇରସ ସଂକ୍ରମଣରୁ ଖେଳାଳିଙ୍କୁ ସୁରକ୍ଷିତ ରଖିବାକୁ ଖେଳାଳିଙ୍କୁ ବାୟୋବବଲ ମଧ୍ୟରେ ରଖାଯାଇଛି ।
ପ୍ରଥମ କୋଭିଡ ପଜିଟିଭ କେସ୍ ଚିହ୍ନଟ ହେବାପରେ ଆୟୋଜକ ଓଡିଶା ସରକାରଙ୍କ କ୍ରୀଡା ବିଭାଗର ଚିନ୍ତା ବଢିଛି । ଅନ୍ୟପଟେ ଟୁର୍ନାମେଣ୍ଟ ସେମିଫାଇନାଲ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ସମ୍ଭାବ୍ୟ ବାତ୍ୟା ଜୱାଦ ମଧ୍ୟ ଆହ୍ବାନ ସାଜିଛି ।
ଏହାମଧ୍ୟ ପଢନ୍ତୁ: Junior Hockey WC: ସେମିରେ ଟିମ ଇଣ୍ଡିଆ, ଲଢୁଆ ପ୍ରଦର୍ଶନକୁ କୋଚ୍ଙ୍କ ପ୍ରଶଂସା
ଭାରତୀୟ ପାଣିପାଗ ବିଭାଗର(IMD)ର ପୂର୍ବାନୁମାନ ଅନୁଯାୟୀ ବାତ୍ୟା ଜୱାଦ ଡିସେମ୍ବର ୪ ସନ୍ଧ୍ୟାରୁ ଡିସେମ୍ବର ୫ ସକାଳ ମଧ୍ୟରେ ପୁରୀ ନିକଟରେ ଲ୍ୟାଣ୍ଡଫଲ୍ କରିବ । ଭୁବନେଶ୍ବର ସମେତ ଉପକୂଳବର୍ତ୍ତୀ ଓଡିଶାର ଅନେକ ସ୍ଥାନରେ ବର୍ଷା ସମ୍ଭାବନା ଥିବାରୁ ସୁରକ୍ଷିତ ମ୍ୟାଚ୍ ପରିଚାଳନା ପାଇଁ ଅଧିକ ସଂଖ୍ୟକ କର୍ମଚାରୀ ଓ ଉପକରଣ ମହଜୁଦ ରଖାଯାଇଥିବା କହିଛନ୍ତି ଓଡିଶା ସରକାରଙ୍କ କ୍ରୀଡା ବିଭାଗର ସଚିବ ଆର. ଭିନିଲ କ୍ରୀଷ୍ଣା ।
ଶୁକ୍ରବାର ଓଡିଶା ୨୭୦ ନୂଆ COVID-19 ପଜିଟିଭ କେସ୍ ଚିହ୍ନଟ ହୋଇଥିବାବେଳେ 3ଜଣଙ୍କର ମୃତ୍ୟୁ ହୋଇଛି । ଏହି ସଂଖ୍ୟା ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୪ ପଜିଟିଭ କେସ୍ ଚିହ୍ନଟ ହୋଇଛି ।
@IANS