ଭୁବନେଶ୍ବର: ନୟାପଲ୍ଲୀରୁ ଗିରଫ ହୋଇଥିବା ସୁପାରି କିଲରକୁ ଦୁଇ ଦିନିଆ ରିମାଣ୍ଡରେ ଆଣିଲା ନୟାପଲ୍ଲୀ ପୋଲିସ । ପେଶାଦାର ଅପରାଧୀ ସମ୍ପଦର କ୍ରାଇମ ନେଟୱାର୍କକୁ ନେଇ ଖୋଳତାଡ଼ କରିବ ପୋଲିସ । ନୟାପଲ୍ଲୀରୁ ଗିରଫ ହେବା ସମୟରେ ସମ୍ପଦର ସହଯୋଗୀ ସେଠାରୁ ଚମ୍ପଟ୍ ମାରିଥିଲା । ସହଯୋଗୀର ଠିକଣା ବାବଦରେ ପଚାରଉଚରା କରିବ ପୋଲିସ୍ ।
ସମ୍ପଦ ଏମିତି କେତେ ଜଣଙ୍କଠାରୁ ସୁପାରି ନେଇ ହତ୍ୟା କରିଛି, ତାହାକୁ ନେଇ ଜେରା କରିବ ପୋଲିସ । ନୟାପଲ୍ଲୀରେ ଜଣେ ବ୍ୟବସାୟୀଙ୍କୁ ହତ୍ୟା କରିବାକୁ ପହଞ୍ଚିଥିଲେ ସୁପାରୀ କିଲର ସମ୍ପଦ ଓ ତାର ସହଯୋଗୀ । ତେବେ କୌଣସି ସୂତ୍ରରୁ ଖବର ପାଇ ସ୍ଥାନୀୟ ସ୍ବପ୍ନେଶ୍ବରୀ ମନ୍ଦିର ନିକଟରେ ପହଞ୍ଚି ଯାଇଥିଲା କମିଶନରେଟ୍ ପୋଲିସ । ଦୁଇ ସୁପାରୀ କିଲର ବ୍ୟବସାୟୀଙ୍କ ଘର ପାଖରେ ବିଚରଣ କରୁଥିଲେ ।
ଏହା ବି ପଢ଼ନ୍ତୁ Contract Killer Arrested in Bhubaneswar: ହତ୍ୟା କରିବାକୁ ଆସି ଫସିଗଲା ସୁପାରି କିଲର
ସମ୍ପଦ ଓ ତାର ସହଯୋଗୀ ପୋଲିସକୁ ଚିହ୍ନିପାରି ସେଠାରୁ ଖସିଯିବାକୁ ଉଦ୍ୟମ କରିଥିଲେ । କିଛି ଅଧିକାରୀ ଓ ସ୍ପେଶାଲ୍ ସ୍କ୍ବାଡ୍ ସହାୟତାରେ ପୋଲିସ ଶେଷରେ ଜଣେ ସୁପାରୀ କିଲରକୁ ଧରିବାରେ ସକ୍ଷମ ହୋଇଥିବାବେଳେ ଆଉ ଜଣେ ସେଠାରୁ ଚମ୍ପଟ ମାରିବାରେ ସଫଳ ହୋଇଥିଲା ।
ଜଗତସିଂହପୁରର ସମ୍ପଦ ସାହୁ ନାମରେ ବିଭିନ୍ନ ଥାନାରେ ଅନେକ ଅପରାଧିକ ମାମଲା ରହିଛି । ୨୦୦୪, ୨୦୦୮, ୨୦୧୬ ମସିହାରେ ସମ୍ପଦ ଜେଲରେ ଥିଲା । ୨୦୧୬ ମସିହା ବାରଙ୍ଗ ମଦ ଦୋକନୀଙ୍କୁ ହତ୍ୟାକାଣ୍ଡରେ ମଧ୍ୟ ଅଭିଯୁକ୍ତ ସମ୍ପଦ ସାମିଲ ଥିଲା ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ