ଭୁବନେଶ୍ବର: ଘୁଞ୍ଚି ନଥିଲେ ନିଜ କର୍ମକ୍ଷେତ୍ରରୁ । ଡରି ନଥିଲେ ମହାମାରୀ ଭାଇରସକୁ । ନିରନ୍ତର ସେବା ଯୋଗାଇ ଚାଲିଥିଲେ । ପରେ ମହାମାରୀ ତାଙ୍କୁ କବଜ୍ଜା କରି ନେଲା । ମାତ୍ର ସେଠାରେ ମଧ୍ୟ ହାରିଲେ ନାହିଁ । ସୁସ୍ଥ ହେଲେ, ଆଉ ଏବେ ଫେରିଛନ୍ତି କର୍ମକ୍ଷେତ୍ରକୁ ।
ଆମେ କହୁଛୁ, କମିସନରେଟ ପୋଲିସର ଏପିଆର କନଷ୍ଟେବଳ ସୁନୀଲ ମହାପାତ୍ରଙ୍କ କଥା । ଡ୍ୟୁଟି କରୁଥିବା ବେଳେ ପ୍ରବାସୀଙ୍କ ସଂଶ୍ପର୍ଶରେ ଆସି ସଂକ୍ରମିତ ହୋଇଥିଲେ ସୁନୀଲ । ଦୀର୍ଘଦିନ ଧରି କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇ ଫେରିଛନ୍ତି ସେ । ଫେରିବା ପରେ ମଙ୍ଗଳବାର କମିସନରେଟ ମୁଖ୍ୟକାର୍ଯ୍ୟାଳୟକୁ ଆସିବା ବେଳେ ତାଙ୍କର ଅବଦାନ ନେଇ ଉତ୍ସାହିତ କରିଥିଲା କମିସନରେଟ ପୋଲିସ ବାହୀନି ।
ପୋଲିସ ସେବା ଭବନରେ ଶହ ଶହ କର୍ମଚାରୀ ଠିଆ ହୋଇ ମାରିଥିଲେ ତାଳି । କିଛି ସମୟ ପାଇଁ ପୋଲିସ ସେବା ଭବନ ପ୍ରକମ୍ପିତ ହୋଇଥିଲା ଏହି କରୋନା ଯୋଦ୍ଧାଙ୍କ ପାଇଁ । ପରେ ଖୋଦ୍ ପୋଲିସ କମିସନର ଫୁଲତୋଡା ଦେଇ ସମ୍ମାନିତ କରିଥିଲେ । ତାଙ୍କର ଏପରି ଅବଦାନ ଓ ସେବା ମନୋବୃକ୍ତି କମିସନରେଟ ପୋଲିସକୁ ଏକ ଉତ୍ସାହ ଯୋଗାଇବ ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ