ଭୁବନେଶ୍ବର: ତେଜୁଛି ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ବିବାଦ । ପଞ୍ଚାୟତ ନିର୍ବାଚନ ପାଇଁ ପ୍ରକାଶ ପାଇଥିବା ଆସନ ସଂରକ୍ଷଣର ଚିଠା ତାଲିକାକୁ ନେଇ ବିବାଦ ଥମିବାର ନାଁ ଧରୁନି । ତାଲିକାରେ ପଛୁଆ ବର୍ଗଙ୍କ ପ୍ରତି ପାତର ଅନ୍ତର କରାଯାଇଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ବର୍ତ୍ତମାନ ଆରମ୍ଭ ହୋଇଛି ଆରୋପ ପ୍ରତ୍ୟାରୋପ । ସରକାରଙ୍କୁ ବିରୋଧୀ ଏବେ ଟାର୍ଗେଟ କରିବାରେ ଲାଗିଛି । ରାଜ୍ୟ ସରକାର ଜାଣିଶୁଣି ଏଭଳି କରିଥିବା ଅଭଯୋଗ ହୋଇଛି । ସଂରକ୍ଷଣରେ ଓବିସିଙ୍କୁ ଅବହେଳା କରାଯାଇଥିବା ଅଭିଯୋଗ କରି କଂଗ୍ରେସ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି । ସେପଟେ ବିରୋଧୀଙ୍କ ଜବାବ ମଧ୍ୟ ଦେଇଛି ଶାସକ ଦଳ ବିଜେଡି ।
ରାଜ୍ୟ ସରକାରଙ୍କ ପାଖରୁ ପ୍ରକାଶ ପାଇଥିବା ଆସନ ସଂରକ୍ଷଣ ଚିଠା ତାଲିକାରେ ଓବିସିଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ । ପଶ୍ଚିମ ଓଡ଼ିଶାର ଝାରସୁଗୁଡ଼ା, ନୂଆପଡ଼ା, ସମ୍ବଲପୁର ଓ କଳାହାଣ୍ଡିରେ ଜିଲ୍ଲା ପରିଷଦ ସଦସ୍ୟ ବର୍ଗରେ ପଛୁଆ ବର୍ଗଙ୍କ ପାଇଁ ଆଦୌ ସଂରକ୍ଷଣ ନଥିବା କଂଗ୍ରେସ ଅଭିଯୋଗ କରିଛି । ବରଗଡ଼ ଓ ବଲାଙ୍ଗୀର ଜିଲ୍ଲାରେ ୩ଟି ଲେଖାଏଁ, ସୁନ୍ଦରଗଡ଼ ଏବଂ ସୁବର୍ଣ୍ଣପୁରରେ ୨ଟି ଲେଖାଏଁ ଓ ବୌଦ୍ଧରେ ପଛୁଆ ବର୍ଗଙ୍କ ପାଇଁ ଗୋଟିଏ ସିଟ୍ ସଂରକ୍ଷଣ ରହିଛି । କଳାହାଣ୍ଡି ଜିଲ୍ଲାରେ ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ୧୮ଟି ଆସନ ସଂରକ୍ଷଣ ଥିବା ବେଳେ ଅଣସଂରକ୍ଷିତ ବର୍ଗ ପାଇଁ ଅନ୍ୟ ୧୮ଟି ଆସନ ରହିଛି ।
ତେବେ ପଛୁଆ ବର୍ଗଙ୍କ ପାଇଁ ଗୋଟିଏ ମଧ୍ୟ ଆସନ ସଂରକ୍ଷିତ ନଥିବାରୁ ସେମାନଙ୍କୁ ଅବହେଳା କରାଯାଇଥିବା ଅଭିଯୋଗ ହୋଇଛି । ବରଗଡ଼ ଜିଲ୍ଲାର ଗୁଡେଶିରା ପଞ୍ଚାୟତରେ ଅନୁସୂଚିତ ଜାତିଙ୍କ ସଂଖ୍ୟା ଅଧିକ ରହିଥିବା ବେଳେ ସରପଞ୍ଚ ଆସନ କିନ୍ତୁ ଅଣସଂରକ୍ଷିତ ମହିଳା ପାଇଁ ରହିଛି । ଜିଲ୍ଲାର ଅନ୍ୟ ସ୍ଥାନରେ ମଧ୍ୟ ଆସନ ସଂରକ୍ଷଣ ଠିକ୍ ଭାବରେ କରାଯାଇନାହିଁ । କେବଳ ବରଗଡ଼ ଜିଲ୍ଲା ନୁହେଁ ରାଜ୍ୟରେ ଥିବା ୯୨ ହଜାର ଓ୍ୱାର୍ଡ, ୬୮୦୦ ପଞ୍ଚାୟତ ଓ ୮୫୩ ଜିଲ୍ଲା ପରିଷଦ ଆସନ ମଧ୍ୟରୁ ଅଧିକାଂଶ ସ୍ଥାନରେ ଓବିସି ସଂରକ୍ଷଣ ଗଡ଼ବଡ ହୋଇଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ l ରାଜ୍ୟ ସରକାର ଏହାକୁ ନେଇ ପୁନଃ ବିଚାର ନକଲେ ରାଜ ରାସ୍ତାରେ ଆନ୍ଦୋଳନ କରିବା ନେଇ ଚେତାବନୀ ଦେଇଛି କଂଗ୍ରେସ ।
ଅନ୍ୟପକ୍ଷରେ ବିରୋଧୀଙ୍କ ଅଭଯୋଗର ଜବାବ ରଖିଛି ଶାସକ ବିଜୁ ଜନତା ଦଳ । ଯାହା ଆଇନ ସମ୍ମତ ସେଇଆ ହିଁ ସରକାର କରିଛନ୍ତି । ଯଦି କେଉଁଠି ଭୁଲ୍ ରହିଛି ବିରୋଧୀ ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କରିପାରିବେ । ବିଜେଡି ସବୁବେଳେ ପଛୁଆ ବର୍ଗଙ୍କ ସହ ରହିଛି l ଆଗାମୀ ନିର୍ବାଚନରେ ପଛୁଆ ବର୍ଗଙ୍କୁ ଅଧିକରୁ ଅଧିକ ପ୍ରାର୍ଥୀ କରିବ ବୋଲି କହିଛନ୍ତି ବିଜେଡି ବିଧାୟକ ଅମର ଶତପଥୀ ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ