ଭୁବନେଶ୍ବର: ବିଦ୍ୟୁତ୍ ଉପଭୋକ୍ତାଙ୍କୁ ନେଇ ସେସୁ ସିଇଓ ଅରୁଣ ବୋଥ୍ରା ଦେଇଥିବା ଚେତାବନୀକୁ ପ୍ରତ୍ୟାହାର ଦାବି କଲା କଂଗ୍ରେସ । ଏହାକୁ ତୁରନ୍ତ ପ୍ରତ୍ୟାହାର କରିବା ସହ ଏନେଇ ବିଭାଗୀୟ ସଚିବ ଓ ମନ୍ତ୍ରୀ ତୁରନ୍ତ ସ୍ପଷ୍ଟୀକରଣ ଦେବାକୁ କଂଗ୍ରେସ କହିଛି ।
ମଙ୍ଗଳବାର ସେସୁ ସିଇଓ ଅରୁଣ ବୋଥ୍ରା ବିଦ୍ୟୁତ ଉପଭୋକ୍ତାଙ୍କ ବାକି ପଡିଥିବା ଦେୟ ଜାନୁଆରୀ ମାସ 15 ତାରିଖ ସୁଧା ପୈଠ କରିବାକୁ କହିଥିଲେ । ଏହା ନ କଲେ ଉପଭୋକ୍ତାଙ୍କ ବିଦ୍ୟୁତ ସଂଯୋଗ କଟାଯିବ ବୋଲି ଏକ ପ୍ରକାର ଚେତାବନୀ ଦେଇଥିଲେ ।
କଂଗ୍ରେସ ଏହାକୁ ବିରୋଧ କରିବା ସହ 2016 ମସିହାରେ ବିଧାନସଭାରେ ଉଠାଯାଇଥିବା ଏକ ପ୍ରଶ୍ନର ଉତ୍ତରକୁ ପ୍ରଦର୍ଶନ କରିଛି । କିପରି ଭାବେ ବଡବଡ ଶିଳ୍ପପତିମାନଙ୍କ ଉପରେ ବାକି ପଡିଥିବା ବିଦ୍ୟୁତ ଦେୟ, ଆଦାୟ କରିବାରେ ସରକାର ବିଫଳ ହେଉଛନ୍ତି ତାହା ଦର୍ଶାଇବା ସହ ସାଧାରଣ ଲୋକଙ୍କ ଉପରେ ସରକାର କିଭଳି ଜୁଲମ କରୁଛନ୍ତି ତାହାର କୈୟିଫତ ମାଗିଛି । ଯଦି ଏଦିଗରେ କୌଣସି ପଦକ୍ଷେପ ରାଜ୍ୟ ସରକାର ନ ନିଅନ୍ତି ତେବେ କଂଗ୍ରେସ ଏହାକୁ ନେଇ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ