ଭୁବନେଶ୍ବର: ଓଡିଶାରେ ଜୋର ଧରିଛି ଓବିସି ପଲିଟିକ୍ସ । ଆଜି ବିଜେଡିର ଜାତିଭିତ୍ତିକ ଗଣନା ଦାବି ଉଠିବା ପରେ କଂଗ୍ରେସ ପକ୍ଷରୁ ନବୀନଙ୍କୁ ଆକ୍ଷେପ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ । ଯଦି ଓଡିଶାରେ ଜାତିପ୍ରଥା ଥାଆନ୍ତା, ତେବେ 21 ବର୍ଷ ଧରି ଦେଢ ପ୍ରତିଶତ ଲୋକ ରାଜ୍ୟକୁ ଶାସନ କରିନଥାନ୍ତେ । ମୁଖ୍ୟମନ୍ତ୍ରୀ କେବଳ ଓବିସି ଭୋଟବ୍ୟାଙ୍କ ହାତେଇବାକୁ ଜାତିଭିତ୍ତିକ ଜନଗଣନା କଥା କହୁଛନ୍ତି ବୋଲି ସମାଲୋଚନା କଲେ ସୁର ।
ଓଡିଶା ଜନସଂଖ୍ୟାର ମୋଟ ୭୪ ପ୍ରତିଶତ ହେଉଛନ୍ତି ଓବିସି । କିନ୍ତୁ ଏହି ବର୍ଗ ରାଜ୍ୟରେ ସବୁବେଳେ ଅବହେଳିତ । ଗଣନା ହେଲେ ରାଜ୍ୟରେ କେତେ ସଂଖ୍ୟକ ଓବିସି ଅଛନ୍ତି ଜଣାପଡିବ । ମୁଖ୍ୟମନ୍ତ୍ରୀ କେବଳ ଉପର ଠାଉରିଆ ଭାବେ ଏହି ଜନଗଣନା କଥା କହୁଛନ୍ତି । ହେଲେ ତାଙ୍କର ଆନ୍ତରିକତା ନାହିଁ । ମାତ୍ର ଜାତିଭିତ୍ତିକ ଜନଗଣନା ପାଇଁ କଂଗ୍ରେସ ପୂର୍ବରୁ ଦାବି କରିଆସୁଛି ବୋଲି ସୁର କହିଛନ୍ତି ।
ଏହି ପ୍ରସଙ୍ଗରେ ସୋମବାର ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନେତୃତ୍ୱରେ ୧୧ ଜଣିଆ ପ୍ରତିନିଧି ଦଳ ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି । ଯାହାପରେ ଓଡ଼ିଶାରେ ଜୋର ଧରିଛି ଓବିସି ପଲିଟିକ୍ସ । ଏନେଇ ସୁର ରାଉତରାୟ କହିଛନ୍ତି ଯଦି ପଛୁଆବର୍ଗଙ୍କ ପାଇଁ ରାଜ୍ୟ ସରକାରଙ୍କ ଆନ୍ତରିକତା ଅଛି, ତେବେ ମୁଖ୍ୟମନ୍ତ୍ରୀ ପ୍ରଥମେ ଏକ ସର୍ବଦଳୀୟ ବୈଠକ ଡାକନ୍ତୁ । ଏଥିରେ କଂଗ୍ରେସକୁ ଡାକିଲେ ଆମେ ଏହି ଦାବିକୁ ବ୍ୟାପକ କରିବୁ ବୋଲି କହିଛନ୍ତି ସୁର ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ