ଭୁବନେଶ୍ବର: ପୌର ନିର୍ବାଚନ ନେଇ ତେଜୁଛି ରାଜନୀତି । ରାଜ୍ୟରେ ତୁରନ୍ତ ପୌର ନିର୍ବାଚନ କରିବାକୁ ବିଜେଡି ବିଜେପି ମୁହାଁମୁହିଁ ହୋଇଥିବାବେଳେ ଏବେ ମୈଦାନକୁ ଆସିଛି କଂଗ୍ରେସ । ନବୀନ ସରକାର ଜାଣିଶୁଣି ନିର୍ବାଚନକୁ ବିଳମ୍ବ କରୁଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି । ଯାହାକୁ ନେଇ କୋର୍ଟଙ୍କ ଦ୍ବାରସ୍ଥ ହୋଇଛି ଦଳ । ଶୁକ୍ରବାର ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ ଏନେଇ ସୂଚନା ଦେଇଛନ୍ତି ।
୨୦୧୮ରୁ ପୌର ପରିଷଦଗୁଡିକ ଭାଙ୍ଗିଲାଣି । ଦୀର୍ଘ ୩ ବର୍ଷରୁ ଉର୍ଦ୍ଧ୍ବ ସମୟ ବିତି ଯାଇଥିଲେ ମଧ୍ୟ କ'ଣ ପାଇଁ ନବୀନ ପଟ୍ଟନାୟକ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି ବୋଲି ସୁର ପ୍ରଶ୍ନ କରିଛନ୍ତି । ରାଜ୍ୟରେ ପ୍ରାୟ ୧୧୩ଟି ପୌର ପରିଷଦ ଓ ମୁନିସିପାଲିଟି ରହିଛି । ଯେଉଁଠି ଉନ୍ନୟନ କାମ ଏକଦମ୍ ଠପ୍ ହୋଇପଡିଛି । ତା'ର ନିଚ୍ଛକ ଉଦାହରଣ ହେଉଛି ସ୍ମାର୍ଟସିଟି ଭୁବନେଶ୍ବର । ଜଳବନ୍ଦୀ, କୋଭିଡ, ଡେଙ୍ଗୁ ଭଳି ବଡ ବଡ ସମସ୍ୟାରେ ଘେରି ହୋଇଛି ରାଜଧାନୀ । ମାତ୍ର ଏହି ସମସ୍ୟାକୁ ଏଡାଇବା ଦିଗରେ ସରକାର ଓ ସ୍ଥାନୀୟ ପ୍ରଶାସନ ବିଫଳ ହୋଇଛି ବୋଲି କଂଗ୍ରେସ ନେତା ଅଭିଯୋଗ କରିଛନ୍ତି । ତେଣୁ ତୁରନ୍ତ ପୌର ନିର୍ବାଚନ କରିବାକୁ ସେ ଦାବି କରିଛନ୍ତି ।
ସୂଚନାଥାଉକି, ରାଜ୍ୟରେ ଯଥାଶୀଘ୍ର ପୌର ନିର୍ବାଚନ କରିବାକୁ ପୂର୍ବରୁ ହାଇକୋର୍ଟରେ ତିନୋଟି ମାମଲା ଦାଏର ହୋଇଛି । ଭୁବନେଶ୍ବର ପାଇଁ ପୂର୍ବତନ ପ୍ରଶାସକ ପ୍ରସନ୍ନ ମିଶ୍ର ପିଟିସନ ଦାଖଲ କରିଥିବାବେଳେ କଟକର ସମୀର ଦେ ଓ ପୁରୀର ଜୟନ୍ତ ଷଡଙ୍ଗୀଙ୍କ ଦ୍ବାରା ପିଟିସନ ଦାଖଲ କରାଯାଇଛି ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ