ଭୁବନେଶ୍ବର: ତୈଳ ଦର ବୃଦ୍ଧି ନେଇ ବଢୁଛି ପ୍ରତିବାଦ ଓ ପଲିଟିକ୍ସ । ରାଜ୍ୟବାସୀଙ୍କ ପ୍ରମୁଖ ସମସ୍ୟାକୁ ଆଧାର କରି ଜନତାଙ୍କ ନିକଟତର ହେବାକୁ ଅଣ୍ଟା ଭିଡିଲେଣି ବିରୋଧୀ ଦଳମାନେ। ଆବାସ କେଳେଙ୍କାରୀ ଓ ବିଦ୍ୟୁତ୍ ଦରବୃଦ୍ଧି ପ୍ରସଙ୍ଗକୁ ଧରି ବିଜେପି ରାଜ୍ୟ ସରକାରଙ୍କୁ ଘନ ଘନ ଆକ୍ରମଣ ଜାରି ରହିଥିବାବେଳେ ଏପଟେ ତୈଳ ଦର ବୃଦ୍ଧି ପ୍ରତିବାଦରେ ରଣ ହୁଙ୍କାର ଦେଲାଣି କଂଗ୍ରେସ। ପେଟ୍ରୋଲ ଡିଜେଲ ରନ୍ଧନ ଗ୍ୟାସର ଦରଦାମ ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଏନେଇ ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନରେ ଜୋରଦାର ପ୍ରତିବାଦ କରିଛି ଯୁବ କଂଗ୍ରେସ। ଏହାସହ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଯୁବ କଂଗ୍ରେସ ଦାହ କରିଛନ୍ତି ।
ଦେଶରେ ଯେଉଁଭଳି ଭାବରେ ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସର ଅହେତୁକ ମୂଲ୍ୟ ବୃଦ୍ଧି ହେଉଛି, ଏନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଦାୟୀ ବୋଲି କଂଗ୍ରେସ କହିଛି । ଏପଟେ ତୈଳ ଦର ସହ ପରିବା ଦର ମଧ୍ୟ ଆକାଶ ଛୁଆଁ । ଯଦ୍ବାରା ଦୁଃଖ ଦୁର୍ଦଶା ଭୋଗୁଛନ୍ତି ସାଧାରଣ ଲୋକେ ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ